ହରିୟାଣାରେ ପୂର୍ବତନ ବିଜେପି ଏମପି ଅଶୋକ ତନଓ୍ବାର କଂଗ୍ରେସରେ ସାମିଲ

1 min read

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଚିତ୍ର ପରିବର୍ତ୍ତନ । ପୂର୍ବତନ ବିଜେପି ଏମପି ତଥା ହେଭିଓ୍ବେଟ ନେତା ଅଶୋକ ତନଓ୍ବାର ଶେଷ ମୁହୂର୍ତ୍ତରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାକୁ ନେଇ ରାଜନୈତିକ ହଟଚମଟ ଦେଖାଦେଇଛି । ଗତକାଲି ଅପରାହ୍ଣରେ ନଲଓ୍ବା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରଣଧିର ପନିହାରଙ୍କ ଲାଗି ପ୍ରଚାର କରୁଥିଲେ ପୂର୍ବତନ ସାଂସଦ । ଏପରିକି ରାଜ୍ଯରେ ପୁଣି ବିଜେପି ସରକାର ଆସିବ ବୋଲି କହିଥିଲେ ।

ହେଲେ ଏହାର କିଛି ସମୟ ପରେ ସେ ଅକସ୍ମାତ ମହନ୍ଦ୍ରଗଡରେ ରାହୁଲ ଗାନ୍ଧିଙ୍କ ସଭାରେ ଦୃଶ୍ଯମାନ ହୋଇଥିଲେ । ରାଜ୍ଯ ବିଜେପି ଲାଗି ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି । ଅଶୋକ ତନଓ୍ବାର ପୂର୍ବରୁ ହରିୟାଣା ପିସିସି ସଭାପତି ଥିଲେ । ମାତ୍ର ୨୦୧୯ରେ ଦଳ ତ୍ଯାଗ କରି ବିଜେପିରେ ସାମିଲ ହୋଇଥିଲେ । ସେ ଜଣେ ଦଳିତ ନେତା । ମଞ୍ଚରେ ଅଶୋକଙ୍କୁ ସ୍ବାଗତ କରିଥିଲେ ରାହୁଲ ଗାନ୍ଧି ଓ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ।

ଆସନ୍ତାକାଲି ହରିୟାଣା ବିଧାନସଭା ନିର୍ବାଚନ ଲାଗି ହେବ ଭୋଟ । ନିର୍ବାଚନରେ ୬୭ ଜଣ ବିଧାୟକ ମଇଦାନରେ ଅଛନ୍ତି । ୯୦ ଆସନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ୧ହଜାର ୨୮ ପ୍ରାର୍ଥୀ । ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି। ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-JJP ଓ ଆଜାଦ ସମାଜ ପାର୍ଟି-ASP ମଧ୍ଯରେ ହୋଇଛି ମେଣ୍ଟ।

ନିର୍ବାଚନରେ ଜେଜେପି ୬୬ ଓ ଏଏସପି ଲଢୁଛି ୧୨ ଆସନରେ। ସେହିପରି ଆଇଏନଏଲଡି ଓ ବିଏସପି ମଧ୍ଯରେ ମେଣ୍ଟ ହୋଇଛି। ଆଇଏନଏଲଡି ୫୧ ଓ ବିଏସପି ୩୫ ଆସନରେ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ଏକାକୀ ଲଢୁଛି ୮୮ ଆସନରେ। ଏସୟୁସିଆଇ ୮, ସିପିଆଇ ୨, ଏନସିପି(ଏସପି) ଗୋଟିଏରେ ଲଢୁଛନ୍ତି। ସରକାର ଗଠନରେ ଜେଜେପି ହୋଇପାରେ କିଙ୍ଗମେକର।