ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ: ଦେଶର ଆଉ ପାଞ୍ଚଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା । ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠୀ ଭାଷା ପ୍ରଚଳିତ ଥିବାବେଳେ ବିହାର, ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ପାଲି ଓ ପ୍ରାକୃତ ଭାଷା ବେଶ ପରିଚିତ । ପଶ୍ଚିମବଙ୍ଗରେ ବେଙ୍ଗଲି ଓ ଆସାମରେ ଅହମିୟା ଭାଷା ରହିଛି ।

ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟାଲାମକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଏହାକୁ ମିଶାଇ ଏବେ ଦେଶରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖା ୧୧ରେ ପହଞ୍ଚିଛି । କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।