ବିପର୍ଯ୍ୟୟର ସଫଳ ମୁକାବିଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଡେଲ ସାଜିଛି ଓଡ଼ିଶା: ନବୀନ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଓଡ଼ିଶା ସଫଳତା ହାସଲ କରିଛି । ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ମଡେଲ ସାଜିଛି । ପୁନଶ୍ଚି ପୃଥିବୀ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ୧୯୯୯ ମହାବାତ୍ଯା ଓଡ଼ିଶାର ଉପକୂଳ ଅଞ୍ଚଳକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା । ସାରା ଦେଶକୁ ବି ଦୋହଲାଇ ଦେଇଥିଲା ଏହି ବିପର୍ଯ୍ୟୟ । ପ୍ରଥମ ଥର ଲାଗି ଓସଡମା ତିଆରି କରିଥିଲା ଓଡିଶା । ବାତ୍ଯା ଆଶ୍ରୟସ୍ଥଳୀ ନିର୍ମାଣ, ବିପର୍ଯ୍ୟୟ କ୍ଷେତ୍ରରେ ଗୋଷ୍ଠୀଗତ ମୁକାବିଲା ଓ ଜିରୋ କାଜୁଆଲିଟିରେ ଓଡିଶା ଦେଖାଇଥିଲା ଉଦାହରଣ । ସୁପର ସାଇକୋଲନରେ ୧୦ ହଜାର ଲୋକଙ୍କ ମୃତ୍ଯୁ ଘଟିଥିଲା । ଫାଇଲିନ, ହୁଡହୁଡ, ଫଣି ଆଦିର ବି ସଫଳ ମୁକାବିଲା କରିଛି ଓଡ଼ିଶା । ଏନେଇ ଜାତିସଂଘ ବି ଓଡ଼ିଶାକୁ ପ୍ରଶଂସା କରିଥିଲା । ତାଙ୍କୁ ବି ଜାତିସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ବୋଲି କହିଛନ୍ତି ନବୀନ ।

୧୯୯୯ରେ ଜଙ୍ଗଲ ପରିମାଣ ୪୭ ହଜାର ୩୩ ବର୍ଗ କିଲୋମିଟର ଥିଲା । ୨୦୨୧ରେ ଜଙ୍ଗଲ ପରିମାଣ ୫୨ ହଜାର ୧୫୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ହେନ୍ତାଳ ବନ ପରିସର ବି ବୃଦ୍ଧି ପାଇଥିଲା । ୨୦୧୦ରେ ଜଳବାୟୁ ପରିବର୍ତ୍ତନ ଲାଗି ଓଡ଼ିଶା ପ୍ରଥମ ରାଜ୍ଯ ଭାବେ ତିଆରି କରିଥିଲା ଷ୍ଟେଟ ଆକ୍ସନ ପ୍ଲାନ୍ । ବର୍ତ୍ତମାନର ଏସଏପିସିସି ଅବଧି ହେଉଛି ୨୦୨୧ରୁ ୨୦୩୦ ଯାଏଁ । ୨୦୧୯ରେ ରାଜ୍ଯରେ କାର୍ଯ୍ୟକାରୀ ହୋଇଥିଲା ଜଳବାୟୁ ବଜେଟ । ପରିବେଶ ମୁକାବିଲାରେ ରାଜନୈତିକ ଇଚ୍ଛାଶକ୍ତିର ଭୂମିକା ଅଧିକ ବୋଲି କହିଛନ୍ତି ନବୀନ ।

ଏହି ଅବସରରେ ପୁନଶ୍ଚ ପୃଥିବୀ ଅଭିଯାନକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସମ୍ବାଦର ପ୍ରଦୀପ ମହାପାତ୍ର, କେଶବ ପାଣି, ଦିପ୍ତି ଆଚାର୍ଯ୍ୟ, ନିଶାନ୍ତ ଦାସ ଏବଂ କନକ ନ୍ୟୁଜର ସ୍ବସ୍ତିକା ପଣ୍ଡା, ଅନୁଜ ଦାସ, ରେଡିଓ ଚୋକଲେଟର ଗୁରୁ ଶତପଥି, ସୌମିତ୍ରି ପଲାଇ, ବିମଳ ଦାସ ଓ ସନ୍ତୋଷ କୁମାର ରଥଙ୍କୁ ପୁରସ୍କୃତ କରାଯାଇଥିଲା ।

ପ୍ରଦୀପ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ଇଚ୍ଛା ବଳରେ ଏତେ ମହାନ କାମରେ ସହଯୋଗର ମୁଖ୍ୟ ଭୂମିକା ଲିଭାଇଛନ୍ତି । ତାଙ୍କୁ ସମ୍ମାନିତ କରିବାକୁ ତାଙ୍କ ପାଖକୁ ନିଜେ ନବୀନ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ନବୀନଙ୍କ ଏହି ଉଦାର ହୃଦୟ ଓ ମହାନତା ସେଠାରେ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଆଉ ସମସ୍ତେ ନବୀନଙ୍କୁ ତାଙ୍କ ଏହି ଉଦାରତା ପାଇଁ କରତାଳି ଦେଇ ସମ୍ମାନ ଜଣାଇଲେ ।