ଝାଡ଼ଖଣ୍ଡ ନିର୍ବାଚନର ୱାର୍ ରୁମ୍ ପାଲଟିଛି ଓଡ଼ିଶା ରାଜଭବନ !

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ତେଜିଲା ବିବାଦ । ପ୍ରଥମେ ତାଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ । ଯାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନି ରାଜ୍ୟ ସରକାର । ଏବେ ଓଡ଼ିଶା ରାଜଭବନ ବିଜେପିର ଓ୍ବାର ରୁମ ପାଲଟିଥିବା ଅଭିଯୋଗ ଉଠିଛି । ରାଜଭବନରେ ରାଜ୍ୟପାଳଙ୍କୁ ବିଜେପିର ବଡ଼ ବଡ଼ ନେତା ଭେଟୁଛନ୍ତି । ହେଲେ କାରଣ କହି ପାରୁ ନାହାନ୍ତି । ସେପଟେ ରଘୁବର ରାଜ୍ୟପାଳ ପଦ ଛାଡ଼ି ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ବି ଜୋରସୋରରେ ହେଲାଣି । ଏପରି ସ୍ଥିତିରେ ଗଣତନ୍ତ୍ରର ହତ୍ୟା ନ କରି ରାଜ୍ୟପାଳ ମର୍ଯ୍ୟାଦା ରକ୍ଷା କରିବା ସହ ଓଡ଼ିଆ ଏଏସଓଙ୍କୁ ନ୍ୟାୟ ଦେଇ ଝାଡ଼ଖଣ୍ଡ ଫେରିବାକୁ ବିଜେଡି ଦାବି କରିଛି ।

ରାଜଭବନ ପାଲଟିଛି ବିଜେପିର ରାଜନୈତିକ ଭବନ । ରାଜ୍ୟପାଳଙ୍କ ପଦ ରାଜନୀତିର ଊର୍ଦ୍ଧ୍ବରେ । ହେଲେ କିଛିଦିନ ଧରି ଓଡ଼ିଶା ରାଜଭବନ ବିଜେପିର ପଲିଟିକାଲ ହବ ପାଲଟିଥିବା କହିଛି ବିଜେଡି । ଗତ ନିର୍ବାଚନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ । ହେଲେ ରାଜ୍ୟପାଳଙ୍କ ସହ ତାଙ୍କର କି ବ୍ୟକ୍ତିଗତ କାମ ଥିଲା ଏଯାଏଁ କହିଲେନି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ପାଇଁ ଯାଇଥିବା ହିଁ ସେହି ବ୍ୟକ୍ତିଗତ କାରଣ ବୋଲି କଟାକ୍ଷ କରିଛି ବିଜେଡି । ଝାଡ଼ଖଣ୍ଡରେ ପ୍ରଚାର କରିବାକୁ ରାଜଭବନରୁ ଅଘୋଷିତ ନିର୍ଦ୍ଦେଶନାମା ଆସିଥିବା ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

ଯେଉଁ ହିମନ୍ତ ବିଶ୍ବଶର୍ମା ରାଜ୍ୟପାଳଙ୍କୁ ଭେଟିଥିଲେ, ସେ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ କେବଳ ମିଛ ପ୍ରତିଶ୍ରୁତି ଦେଇଥିଲେ । ସୁଭଦ୍ରା ଟଙ୍କା ସମସ୍ତେ ପାଇବା ନେଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ । ସେହିପରି ଭେଙ୍କୟା ନାଇଡ଼ୁ ବି ରାଜଭବନରେ ରହିଲେ । ସେପଟେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓଡ଼ିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ଆଇନ ମନ୍ତ୍ରୀ ଯେଉଁ ଜିଲ୍ଲାପାଳସ୍ତରୀୟ ତଦନ୍ତ ରିପୋର୍ଟ ୧୫ ଦିନରେ ଆସିବ କହିଥିଲେ, ତାହା ହେଲାନି କି ରାଜ୍ୟପାଳ ଯେଉଁ ସମୟ ମାଗିଥିଲେ, ତାହା ବି ଗଡ଼ି ଯାଇଛି । ଏ ପ୍ରସଙ୍ଗରେ କାହିଁକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ଆକ୍ସନ ବଦଳରେ ରାଜ୍ୟପାଳଙ୍କ ପୁଅ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କବଚରେ ଥିବାରୁ ଉଦବେଗ ପ୍ରକାଶ କରିଛି ବିଜେଡି । ରାଜ୍ୟପାଳ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବାର ଆକାଂକ୍ଷାରେ ବିଜେଡିର କୌଣସି ଆପତ୍ତି ନାହିଁ । ହେଲେ ଝାଡ଼ଖଣ୍ଡ ଫେରିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇ ଏଏସଓଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ଦାବି କରିଛି ।

ରାଜ୍ୟପାଳ ଯେପରି ରାଜେନୖତିକ ସ୍ତରରେ ରାଜଭବନକୁ ବ୍ୟବହାର କରୁଛନ୍ତି ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ ପାଲଟିଛି କି ପଚାରିଛି ବିଜେଡି ? ଏ ନେଇ ସ୍ପଷ୍ଟ କରିବାକୁ ଦାବି କରିଛି ବିଜେଡି । ରାଜ୍ୟପାଳ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି କି ? ନହେଲେ ବିଜେପି ନେତା କାହିଁକି ତାଙ୍କୁ ଭେଟୁଛନ୍ତି ?

ଓଡ଼ିଶାକୁ ଆସିବା ଦିନଠୁ ବିଜେପି ସପକ୍ଷରେ ପରୋକ୍ଷ ରାଜନୀତି କରୁଥିବା ନେଇ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିରୋଧୀ । ରାଜ୍ୟପାଳ ପରି ସାମ୍ବିଧାନିକ ପଦ ଛାଡ଼ି ପୁଣି ଥରେ ଝାଡ଼ଖଣ୍ଡ ରାଜନୀତିକୁ ଫେରିବାକୁ ଚେଷ୍ଟା ତାଙ୍କ ରାଜେନୖତିକ କାର୍ଯ୍ୟକଳାପ ନେଇ ଖୋରାକ୍ ଯୋଗାଇଛି ।