ପୁରୀରେ ପୁଣି ଜମିବ ଗୋଷାଣୀ ଯାତ୍ରା, ଚାଲିଛି ପ୍ରସ୍ତୁତି

ପୁରୀ: ଶ୍ରୀକ୍ଷେତ୍ରରେ ବିଭିନ୍ନ ମଣ୍ଡପ ଓ ସାହି ଜାଗାରେ ଆଗେଇ ଚାଲିଛି ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି । ଏଠି ମାଆ ଦୁର୍ଗାଙ୍କୁ ଗୋଷାଣୀ ରୂପେ ପୂଜା କରିବାର ପରମ୍ପରା ରହିଛି । ପାରମ୍ପରିକ ଶୈଳୀ ଓ ପ୍ରାକୃତିକ ଉପାୟରେ ବିଶାଳକାୟ ମୂର୍ତ୍ତି ନିର୍ମାଣ ହୁଏ ।  ଅତ୍ୟନ୍ତ ଶୁଦ୍ଧପୁତ ଭାବେ ମୂର୍ତ୍ତି କାରିଗରମାନେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବା ଗୋଷାଣୀ ଓ ନାଗା ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।

ଶ୍ରୀକ୍ଷେତ୍ରର ପରମ୍ପରା ନିଆରା । ଏହି ପ୍ରାଚୀନ ପରମ୍ପରାର ଆଉ ଏକ ଉତ୍ସବ ହେଉଛି ଗୋଷାଣୀ ଯାତ୍ରା । ପୁରୀରେ ମାଆ ଦୁର୍ଗା ଗୋଷାଣୀ ରୂପେ ପୂଜା ପାଇଥାନ୍ତି । ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହ ଏହା ଜଡିତ । ବିଭିନ୍ନ ପୀଠରେ ଦୁର୍ଗା ମାଧବ ଉପାସନା କ୍ରମରେ ଏଠାରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଜାଗା ଅଖଡା, ସାହି ଓ ମଣ୍ଡପରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ପାଆନ୍ତି ଗୋଷାଣୀ । ବେଶଭୂଷା ଓ ପୂଜାବିଧି ଅନୁସାରେ ପ୍ରତିବର୍ଷ ସମାନ ଢଙ୍ଗରେ ନିର୍ମାଣ ହୁଏ ଏହି ବିଶାଳକାୟ ମୂର୍ତ୍ତି । ମାଆଙ୍କୁ ଗୋଷାଣୀ ରୂପରେ ପୂଜନ, ଶାକ୍ତ ପୂଜା ବିଧିର ଅଧୀନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କୁ ନେଇ କରାଯାଉଥିବା ଲକ୍ଷ୍ଯ କରାଯାଏ ।

ପୂଜା ପାଖେଇ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଗୋଷାଣୀ ମୂର୍ତ୍ତି ନିର୍ମାଣ ପ୍ରାୟତଃ ଶେଷ ପର୍ଯାୟରେ ପହଞ୍ଚିଛି । ସମସ୍ତ ଗୋଷାଣୀ ମୂର୍ତ୍ତି ମଧ୍ୟରୁ ବାରବାଟୀ ଓ ଜହ୍ନିଖାଇ ବିଶାଳକାୟ ଓ ଭବ୍ୟ ହୋଇଥିବା ବେଳେ ଏହାର ନିର୍ମାଣ ଶୈଳୀରେ ମଧ୍ୟ ରହିଛି ସମ୍ପୂର୍ଣ୍ଣ ପାରମ୍ପରିକ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ ମୂର୍ତ୍ତି କାରିଗରମାନେ ଏହାର ନିର୍ମାଣ କରିଥାନ୍ତି ।

ପୁରୀର ଏହି ନିଆରା ଗୋଷାଣୀ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ଦୁର୍ଗୋତ୍ସଭ ସମୟରେ ଆକର୍ଷଣୀୟ ନାଗା ମେଢ ମୂର୍ତ୍ତି ନିର୍ମାଣର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ ।