କଙ୍ଗନାଙ୍କ ପିଛା ଛାଡ଼ୁନି ବିବାଦ, ଏଥରକ..

1 min read

ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଥିବା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ପୁଣି ଆଉ ଏକ ବିବାଦ ଠିଆ କରିଛନ୍ତି । ଏଥର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । କେବଳ ମହାତ୍ମା ଗାନ୍ଧିଙ୍କୁ ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମ୍ପର୍କରେ ବି ଖରାପ ମନ୍ତବ୍ଯ ଦେଇଛନ୍ତି । କଙ୍ଗନା କହିଛନ୍ତି ଦେଶର କିଏ ପିତା ନାହାନ୍ତି, ଦେଶର ସନ୍ତାନମାନେ ହିଁ ଥାଆନ୍ତି । ଦେଶ ମାତୃକାର ସନ୍ତାନ ଭାବେ ସମସ୍ତେ ଗର୍ବିତ । ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦଙ୍କ ଏହି ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । ସେ କହିଛନ୍ତି- ନାଥୁରାମ ଗଡସେଙ୍କୁ ଭକ୍ତି କରୁଥିବା ବ୍ଯକ୍ତିମାନେ ବାପୁ ଓ ଶାସ୍ତ୍ରୀଜୀଙ୍କ ମଧ୍ଯରେ ପାର୍ଥକ୍ଯ ଟାଣିଥାନ୍ତି । ଦେଶରେ ଜାତିର ପିତା, ଦେଶ ମାତୃକାର ସନ୍ତାନ ଓ ସହିଦମାନେ ରହିଥାନ୍ତି । ସମସ୍ତେ ସମ୍ମାନଯୋଗ୍ଯ । କଙ୍ଗନାଙ୍କ ମତକୁ ବିରୋଧ କରିଛନ୍ତି ପଞ୍ଜାବର ଖୋଦ୍ ବିଜେପି ନେତା ମନୋରଞ୍ଜନ କାଳିଆ । ସେ କହିଛନ୍ତି- ବିବାଦୀୟ ମନ୍ତବ୍ଯ ଦେବା କଙ୍ଗନାଙ୍କ ଅଭ୍ଯାସରେ ପରିଣତ ହୋଇଛି । କଙ୍ଗନାଙ୍କ ଏଭଳି ମନ୍ତବ୍ଯ ଯୋଗୁ ଦଳ ଅଡୁଆରେ ପଡୁଛି ବୋଲି ସେ କହିଛନ୍ତି। ୨୦୨୧ରେ ପ୍ରତ୍ୟାହୃତ ହୋଇଥିବା ତିନିଟି ଯାକ କଳା କୃଷକ ଆଇନକୁ କାର୍ଯ୍ୟକାରୀ କରାଯାଉ ବୋଲି କହି ଗତ ସେପ୍ଟେମ୍ବରେ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ଅଭିନେତ୍ରୀ । ସେ କହିଥିଲେ କୃଷକଙ୍କ ଆନ୍ଦୋଳନ ଦେଶରେ ବାଂଲାଦେଶ ପରି ସମସ୍ଯା ସୃଷ୍ଟି କରିବାକୁ ଯାଉଛି । ଏହା ସହ ଚାଷୀ ଆନ୍ଦୋଳନ ବେଳେ ଶବ ଝୁଲିବା ଦେଖାଯିବା ସହ ଆନ୍ଦୋଳନ ସ୍ଥଳରେ ଦୁଷ୍କର୍ମ ଘଟୁଥିଲା ।