ହିଜବୁଲ୍ଲା ଗଡ଼କୁ ଟାର୍ଗେଟ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍

1 min read

ନନ୍ଦିଘୋଷ ବ୍ୟୁରୋ : ଲେବାନନରେ ଇସ୍ରାଏଲର ସ୍ଥଳ ଅଭିଯାନ ଜାରି ରହିଛି । ହିଜବୁଲ୍ଲା ଗଡ଼କୁ ଟାର୍ଗେଟ କରିଛି ଇସ୍ରାଏଲ  ପ୍ରତିରକ୍ଷା ବାହିନୀ ଆଇଡିଏଫ୍ । ଆତଙ୍କବାଦୀଙ୍କୁ ନିପାତ କରାଯିବା ଏବଂ ସେମାନଙ୍କ ଭିତ୍ତିଭୂମି ନଷ୍ଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ନସରଲ୍ଲାକୁ ହତ୍ୟାର ପ୍ରତିଶୋଧ ନେବା ସଂଗଠନ ପକ୍ଷରୁ ଇସ୍ରାଏଲର ଗିଲୋଟ୍ ବେସ୍ ଓ ତେଲ ଅବିବର ଉପାନ୍ତ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ହେଜବୁଲ୍ଲା ଗଡ଼ ଦହିୟେରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ଚେତାବନୀ ଦିଆଯାଇଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭୨ ଜଣ ଆହତ ହୋଇଛନ୍ତି । ଇସ୍ରାଏଲକୁ ଲେବାନନରୁ ଅଲଗା କରୁଥିବା ବ୍ଲୁ ଲାଇନ୍ ନିକଟରେ ହିଜବୁଲ୍ଲା ସଦସ୍ୟମାନେ ଖୋଳିଥିବା ଭୂତଳ ସୁଡ଼ଙ୍ଗର ଏକ ନେଟୱର୍କରେ ଇସ୍ରାଏଲର ସ୍ୱତନ୍ତ୍ର ସେନା ପ୍ରବେଶ କରିଛି । ସିରିଆର ଦମାସ୍କସ ଉପରେ ରାତାରାତି ଇସ୍ରାଏଲ ଆକ୍ରମଣରେ ଟିଭି ଆଙ୍କର ସଫା ଅହମଦ ଓ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ସେନା ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ବେଳେ ‘ଅଧିକୃତ ଗୋଲାନ୍ ହାଇଟ୍ସ’ ଦିଗରୁ ଡ୍ରୋନ୍ ଓ ବିମାନ ଯୋଗେ ଦମାସ୍କସକୁ ଟାର୍ଗେଟ କରିଥିଲା । ଏପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାର ଗୁପ୍ତ ବଙ୍କର ଭିତରେ ବିଷାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଇସ୍ରାଏଲର ଏକ ଗଣମାଧ୍ୟମ ଦାବି କରିଛି । ବଙ୍କର ଉପରେ ୮୦ ଟନ୍ ବଙ୍କର-ବିଧ୍ବଂସୀ ବୋମା ପକାଇବା ପରେ ହୋଇଥିବା ବିସ୍ଫୋରଣ ଯୋଗୁଁ ବିଷାକ୍ତ ବାଷ୍ପ ଓ ପ୍ରବଳ ଧୂଆଁରେ ବଙ୍କର ଭିତରେ ନିଃଶ୍ୱାସ ନେବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ନସରଲ୍ଲାର ମୃତ୍ୟୁ ହୋଇଥିଲା। ଆକ୍ରମଣ ସ୍ଥଳରୁ ନସରଲ୍ଲାର ମୃତଦେହ ଉଦ୍ଧାର ହେବା ପରେ କୌଣସି ଆଘାତ ଲାଗି ନ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।