ଜେଲରୁ ବାହାରିଲେ ରାମ ରହିମ, ବାଗପତ ଆଶ୍ରମରେ ୨୦ ଦିନ ବିତାଇବେ

ରୋହତକ : ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ୨୦ ଦିନ ପାରୋଲ ମିଳିବା ପରେ ଜେଲରୁ ବାହାରିଛନ୍ତି। ସେ ବୁଧବାର ସକାଳେ ରୋହତକଙ୍କ ସୁନାରିଆ ଜେଲରୁ ବାହାରି ଉତ୍ତର ପ୍ରଦେଶର ବାଗପତସ୍ଥିତ ବର୍ଣ୍ଣୱା ଆଶ୍ରମକୁ ଯାଇଥିଲେ । ଗତ ଚାରି ବର୍ଷ ମଧ୍ୟରେ ରାମ ରହିମ ୧୫ ତମ ଥର ପାରୋଲରେ ଜେଲରୁ ବାହାରିଛନ୍ତି ।

ସୋମବାର ନିର୍ବାଚନ ଆୟୋଗ ଗୁରୁମିତ ରାମ ରହିମଙ୍କ ପାରୋଲ ଅନୁରୋଧକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି ଯେ ହରିୟାଣା ସରକାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କ ପାରୋଲକୁ ବିଚାର କରିପାରନ୍ତି। ଏଥିପାଇଁ ତାଙ୍କ ପାରୋଲ୍ ଆବେଦନରେ ଲେଖାଯାଇଥିବା ତଥ୍ୟ ସତ୍ୟ ହେବା ଉଚିତ୍ । ଆହୁରି ମଧ୍ୟ, ନିର୍ବାଚନ ପାଇଁ ମଡେଲ ଆଚରଣ ସଂହିତା ସମ୍ବନ୍ଧୀୟ ଅନ୍ୟାନ୍ୟ ସର୍ତ୍ତଗୁଡିକ ପୂରଣ ହେବା ଉଚିତ୍  ।

ନିର୍ବାଚନ ଆୟୋଗର ଅନୁମୋଦନ ପରେ ହରିୟାଣା ସରକାର ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବରରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟଙ୍କ ମୁକ୍ତି ନିଷ୍ପତ୍ତି ନିଆଯାଇଥିଲା । ହରିୟାଣା ଏବଂ ପଞ୍ଜାବରେ ତାଙ୍କର ବହୁତ ପ୍ରଭାବ ଥିବା ପରି ବିବେଚନା କରାଯାଏ । ଗୁରୁମିତ ରାମ ରହିମ ୨୦ ଦିନ ପାଇଁ ପାରୋଲ ମାଗିଥିଲେ । ପାରୋଲ ଅବଧି ସମୟରେ ଉତ୍ତରପ୍ରଦେଶର ବାଗପତରେ ରହିବାକୁ ସେ ଦାବି କରିଥିଲେ। ପାରୋଲ ଅବଧିରେ ଗୁରୁମିତ ରାମ ରହିମଙ୍କୁ ହରିୟାଣା ପ୍ରବେଶ କରିବାକୁ ଅନୁମତି ନାହିଁ। ସେ ବ୍ୟକ୍ତିଗତ ଭାବରେ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ନାହିଁ  ।ଏହା ବ୍ୟତୀତ ତାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ରାମ ରହୀମ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ।