ମଧ୍ଯପ୍ରାଚ୍ଯରେ ବିସ୍ଫୋରକ ସ୍ଥିତି, ଇସ୍ରାଏଲ ଉପରେ ଇରାନର ବଡ଼ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରାଚ୍ଯରେ ବିସ୍ଫୋରକ ସ୍ଥିତି । ଇସ୍ରାଏଲ ଉପରେ ଇରାନର ବଡ଼ ଆକ୍ରମଣ । ଆରମ୍ଭ ହୋଇଛି ଇସ୍ରାଏଲ ଓ ଇରାନ ସିଧାସଳଖ ଯୁଦ୍ଧ । ଇସ୍ରାଏଲ ଉପରେ ଘନଘନ ମିସାଇଲ ଆକ୍ରମଣ କରିଛି ଇରାନ । ଗତକାଲି ରାତିରେ ୧୦ ମିନିଟ ମଧ୍ଯରେ ପ୍ରାୟ ୪୦୦ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି ଇରାନ । ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଭୟାନକ ସ୍ଥିତି ଉପୁଜିଛି। ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇରାନ ପାଇଁ ଏହା ଭୟଙ୍କର ପରିଣାମ ଆଣିବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି । ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି ।  ଇରାନର ଆକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତତ୍କାଳ ପଦକ୍ଷେପ ନେବ । ଇସ୍ରାଏଲ ଆଡ଼କୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ଆକ୍ରମଣ ପାଇଁ ଇରାନକୁ ପସ୍ତାଇବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି ।  ଅନ୍ଯପଟେ ତୁର୍କୀ ସମେତ ଅନ୍ୟ କେତେକ ମୁସଲିମ ରାଷ୍ଟ୍ର ଲେବାନନରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲକୁ ଧମକ ଦେଇଥିବା ବେଳେ ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରିନାହିଁ । ଏପଟେ ଯୁଦ୍ଧ ବିରତି ପାଇଁ ମିଳିତ ଜାତିସଂଘ ସଚିବ ଅପିଲ କରିଛନ୍ତି । ଏହାକୁ ରୁତନ୍ତ ବନ୍ଦ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଅନ୍ଯପଟେ ତେଲ ଆଭିବରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏଥିରେ ଅନେକ ମୃତାହତ ହୋଇଛନ୍ତି । ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ସୁରକ୍ଷା ନିୟମ ପାଳନ କରି ସେଫ୍ଟି ସେଲଟରରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।