ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖାଦ୍ୟ ନିରୀକ୍ଷକ

କେନ୍ଦ୍ରାପଡ଼ା: ବିସ୍କୁଟ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଖାଦ୍ଯ ନିରୀକ୍ଷକ । ଅଭିଯୁକ୍ତ ଫୁଡ ଇନ୍ସପେକ୍ଟର ହେଲେ ବିଭାସ ମଜୁମଦାର। ଜଣେ ବିସ୍କୁଟ ଫ୍ୟାକ୍ଟ୍ରି ମାଲିକଙ୍କ ଠାରୁ ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିବା ବେଳେ ରାସ୍ତା ଉପରେ ମାଡି ବସିଲା ଭିଜିଲାନ୍ସ ।

ଅଭିଯୁକ୍ତ ମଜୁମଦାରଙ୍କୁ ବ୍ୟବସାୟୀ ଲାଇସେନ୍ସ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଲାଇସେନ୍ସ ପ୍ରଦାନ ପାଇଁ ମଜୁମଦାର ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ବିକଳ୍ପ ନପାଇ ଅଭିଯୋଗକାରୀ ମଜୁମଦାରଙ୍କୁ ଲାଞ୍ଚ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏନେଇ ସେ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ବିସ୍କୁଟ କମ୍ପାନୀ ମାଲିକ ମଜୁମଦାରଙ୍କୁ ଟଙ୍କା ଦେବାକୁ ଯାଇଥିଲେ । ଫୁଡ ଇନ୍ସପେକ୍ଟର ଲାଞ୍ଚ ଟଙ୍କା ଧରିବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ଜବତ କରାଯାଇଛି ।