ବିଗିଡିଲା ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା, ଚେନ୍ନାଇର ଘରୋଇ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ : ସୋମବାର ବିଳମ୍ବିତ ରାତିରେ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେନ୍ନାଇ ପୋଲିସର କହିବାନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।ରଜନୀକାନ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ‘ଭେଟ୍ଟିୟାନ’ର ଟ୍ରେଲର ୨ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି` ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିକଟରେ ଫିଲ୍ମର ନିର୍ମାତା ରଜନୀକାନ୍ତଙ୍କ ଏକ ନୂଆ ପୋଷ୍ଟର ରିଲିଜ କରିଥିଲେ, ଯେଉଁଥିରେ ସେ ବହୁତ ଷ୍ଟାଇଲିଶ୍ ଲୁକରେ ନଜର ଆସିଛନ୍ତି  ।

ଚଳଚ୍ଚିତ୍ର ‘ଭେଟ୍ଟିଆନ୍’ରେ ରଜନୀକାନ୍ତଙ୍କୁ ଏକ ଏନକାଉଣ୍ଟର ବିଶେଷଜ୍ଞ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଅମିତାଭ ବଚ୍ଚନଙ୍କ ଚରିତ୍ର ଏନକାଉଣ୍ଟର ବିଶେଷଜ୍ଞଙ୍କ ବିପକ୍ଷରେ ଅଛି । ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।