ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ, ଆଜି ଶେଷ ପର୍ଯ୍ୟାୟ ମତଦାନ

ନନ୍ଦିଘୋଷ ବ୍ୟୁରୋ :  ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଜମ୍ମୁ ଅଞ୍ଚଳର ୨୩ ଓ କାଶ୍ମୀର ଅଞ୍ଚଳର ୧୭ ଆସନରେ ମତଦାନ କରାଯାଉଛି  । ୧ ହଜାର ୪୮୪ ପୋଲିଂ ଷ୍ଟେସନରେ ପ୍ରାୟ ୪୦ ଲକ୍ଷ ଭୋଟର୍ ମତଦାନ କରିବାକୁ ବ୍ଯବସ୍ଥା ହୋଇଛି ।  ଜମ୍ମୁରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ କଡ଼ା ଟକ୍କର ହେଉଥିବା ବେଳେ କାଶ୍ମୀରରେ ବିଜେପି ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ହେଉଛି ଲଢ଼େଇ । ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଚୌଧୁରୀ ମହମ୍ମଦ ରମଜାନ, ସାଜ୍ଜଦ ଗନି ଲୋନ, ଗୁଲାମ ମହମ୍ମଦ ମୀର ପ୍ରମୁଖ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ ୫୭.୦୩ ପ୍ରତିଶତ ମତଦାନ ହୋଇଥିଲା। ଅକ୍ଟୋବର ୮ରେ ଗଣତି ହୋଇ ଫଳାଫଳ ଆସିବ । ପ୍ରାୟ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । ଏଥରର ଇଲେକସନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା । ଆତଙ୍କବାଦୀଙ୍କ ପ୍ରଭାବ ସେତେଟା ନାହିଁ। ମତଦାନ ହାର ମଧ୍ୟ ବେଶ ଭଲ ରହିଛି। ଏହି ଦୁଇଟି କାରଣରୁ ଏଥରର ବିଧାନସଭା ନିର୍ବାଚନ ଜମ୍ମୁ କାଶ୍ମୀର ପାଇଁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।