ଖ୍ରୀଷ୍ଟିଆନ ବହୁଳ ଲେବାନନ ଅଳ୍ପ କେଇ ବର୍ଷ ମଧ୍ୟରେ କେମିତି ହୋଇଗଲା ମୁସଲିମ ବହୁଳ ?

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲର ରକେଟ ମାଡ଼ରେ ଜଳୁଛି ଲେବାନନ । ଧ୍ବଂସସ୍ତୁପରେ ପରିଣତ ହୋଇଛି ଲେବାନନର ଗଳିକନ୍ଦି । ସବୁଠି ବାରୁଦର ବନ୍ଧ । ଯେଉଁଠିକୁ ଚାହିଁବେ ଶବ ଆଉ ଶବ । ମୁସଲମାନ ରାଷ୍ଟ୍ର ଲେବାନନ, ଇସ୍ରାଏଲର ପ୍ରତିଶୋଧ ନିଆଁରେ ଜଳିପୋଡି ପାଉଁଶ ହେଉଛି । ହେଲେ ଜାଣିଛନ୍ତି କି ହିଜବୁଲ୍ଲା ସମେତ ଏକାଧିକ ଆତଙ୍କବାଦୀ ସଂଗଠନଙ୍କ ଗଡ଼ ଲେବାନନ କିଛି ଦଶକ ପୂର୍ବେ ଏକ ଖ୍ରୀଷ୍ଟିଆନ ଦେଶ ଥିଲା । ୬୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟିଆନ ଲୋକ ରହୁଥିବା ଏହି ଦେଶ କେମିତି ଏକ ମୁସଲମାନ ରାଷ୍ଟ୍ରରେ ପରିଣତ ହେଲା ତା’ର ଇତିହାସ ଶୁଣିଲେ ଆପଣଙ୍କ ବି ଶିହରି ଯିବେ । ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଲୋମହର୍ଷଣକାରୀ ଓ ରକ୍ତାକ୍ତ ଗୃହଯୁଦ୍ଧ ସାରା ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ଏକ ରାଷ୍ଟ୍ରର ଧର୍ମ ପରିବର୍ତ୍ତନ କରି ଦେଇଥିଲା । ଆଉ ସେ ସମୟରେ ଲାଗିଥିବା ଏହି ଧାର୍ମିକ ନିଆଁ ଆଜି ବି ଜଳୁଛି । ମୁଣ୍ଡ ବି ଗଡୁଛି, ସହର କବରସ୍ଥାନରେ ପରିଣତ ହେଉଛି ।

ତେବେ ଆସନ୍ତୁ ଜାଣିବା ଖ୍ରୀଷ୍ଟିଆନ ବହୁଳ ରାଷ୍ଟ୍ର ଲେବାନନରେ ଏମିତି କ’ଣ ଘଟିଥିଲା ଯେଉଁ କାରଣରୁ ଏହା ମୁସଲମାନ ରାଷ୍ଟ୍ରରେ ପାରିଣତ ହୋଇଗଲା ।

ମାତ୍ର ୫୦ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ବହୁଳ ଦେଶ ଥିବା ଲେବାନନରେ ମାତ୍ର ୩୦ ପ୍ରତିଶତ ଲୋକ ମୁସଲମାନ ଓ ଅନ୍ୟ ଧର୍ମର ଥିଲେ । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏହି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଏବେ ମୁସଲମାନ ସମ୍ପ୍ରଦାୟର । ଗତ ସପ୍ତାହରୁ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରି ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହ ସମେତ ଏକାଧିକ ଲିଡରଙ୍କୁ ହତ୍ୟା କରିଛି । ହିଜାବୁଲ୍ଲ ସେଇ ଆତଙ୍କବାଦୀ ସଙ୍ଗଠନ ଯାହାର ପହଞ୍ଚ ଲେବାନନ ସଂସଦ ଓ ସରକାର ପର୍ଯ୍ୟନ୍ତ ରହିଛି । ତେବେ ଲେବାନନ ଖ୍ରୀଷ୍ଟିଆନ ବହୁଳରୁ ମୁସଲମାନ ବହୁଳ ରାଷ୍ଟ୍ରରେ ପରିଣତ ହେବା ପଛରେ ରହିଛି ଏକାଧିକ କାରଣ । ଏଠି ଏମିତି କିଛି କାରଣ ସମ୍ପର୍କରେ ଜାଣିବା ଯାହା ଗୋଟିଏ ଦେଶର ଧର୍ମ ପରିବର୍ତ୍ତନ କରିଦେଲା ।

ଧର୍ମ ଆଧାରରେ ରାଜନୈତିକ ବ୍ୟବସ୍ଥା

ଲେବାନନ ରାଜନୀତି ସବୁବେଳେ ଧର୍ମକୁ ଆଧାର କରି ରହି ଆସିଛି । ଦେଶର ମୁଖ୍ୟପଦରେ ୬୦ ପ୍ରତିଶତ ଲୋକ ଇସାଇ ଧର୍ମର ରହୁଥିଲେ । ଯାହା ମୁସଲମାନଙ୍କ ଅସନ୍ତୋଷର କାରଣ ଥିଲା । ଦେଶର ମୁସଲିମ ଲୋକ ସମାନ ଅଧିକାର ଚାହୁଁଥିଲେ । ଯାହାକୁ ନେଇ ଏକାଧିକ ଥର ସାମ୍ପଦାୟିକ ହିଂସା ବି ଦେଖିବାକୁ ମିଳୁଥିଲା । ଏମିତି ସ୍ଥିତିରେ ମୁସଲମାନ ବହୁଳ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟିଆନ ଲୋକେ ଧର୍ମ ପରିବର୍ତ୍ତନ କରି ଦେଇଥିଲେ । ୟୁନିର୍ଭସିଟି ଅଫ୍ ଆକ୍ସଫୋର୍ଡ ଅନଲାଇନ୍ ରିପୋର୍ଟ ଅନୁସାରେ ଥରେ ଧର୍ମ ପରିବର୍ତ୍ତନ କରିବା ପରେ ପୁଣି ମୂଳ ଧର୍ମକୁ ଫେରିବା ସହଜ ନଥିଲା । ଏମିତି କରୁଥିବା ଲୋକଙ୍କୁ ବ୍ଲାସ ଫେମି ଅପରାଧରେ କଠୋର ଦଣ୍ଡ ଦିଆଯାଉଥିଲା । ଧର୍ମ ପରିବର୍ତ୍ତନ ଇସ୍ୟୁକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ମତାନ୍ତର ବହୁତ ବଢ଼ିଯାଇଥିଲା ।

ବିଂଶ ଶତାବ୍ଦୀ ଆରମ୍ଭରୁ ଏଠାରେ ଧାର୍ମିକ ସମୀକରଣ ବଦଳିବା ଆରମ୍ଭ କରିଥିଲା । ବହୁତ ଘଟଣା ଏଥିପାଇଁ ଦାୟୀ ଥିଲା । ଆଉ ସବୁଠାରୁ ବଡ଼ ଘଟଣା ଥିଲା ଲେବାନନ ଗୃହଯୁଦ୍ଧ । ଯାହାକୁ ମଧ୍ୟ ପ୍ରାଚ୍ୟର ସବୁଠାରୁ ବଡ଼ ରକ୍ତାକ୍ତ ସଂଘର୍ଷ କୁହାଯାଏ । ଆଉ ଏହି ସଂଘର୍ଷରେ ମୁହାଁମୁହିଁ ହୋଇଥିଲେ ଦୁଇ ସମ୍ପ୍ରଦାୟ ଖ୍ରୀଷ୍ଟିଆନ ଓ ମୁସଲମାନ । ୭୦ରୁ ୯୦ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଖୁନୀ ସଂଘର୍ଷରେ ଧର୍ମ ସହ ଜଡିତ ରାଜନୈତିକ ଦଳ ବି ସାମିଲ ହୋଇଥିଲେ ।

ଗୃହଯୁଦ୍ଧରେ ପାଲେଷ୍ଟାଇନ ଶରଣାର୍ଥୀ

ଲେବାନନ ଯେତେବେଳେ ଗୃହଯୁଦ୍ଧର ନିଆଁରେ ଜଳୁଥିଲା, ସେ ସମୟରେ ଦେଶରେ ବହୁ ସଂଖ୍ୟାରେ ପାଲେଷ୍ଟାଇନ ଶରଣାର୍ଥୀ ରହୁଥିଲେ । ସେମାନେ ଇସାଇଙ୍କୁ ବିରୋଧ କରି ମୁସଲମାନଙ୍କ ସହ ଛିଡ଼ା ହୋଇଥିଲେ । ଆଉ ଲେବାନନ ଗୃହଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ଏହି ଶରଣାର୍ଥୀ ହିଁ ଥିଲେ । ସ୍ବତନ୍ତ୍ର ପାଲେଷ୍ଟାଇନ ଦାବିରେ ଏମାନେ ଇସ୍ରାଏଲକୁ ଉସକାଉଥିଲେ । ଏହାକୁ ନେଇ ଇସ୍ରାଏଲ ସେନା ଏକାଧିକ ଥର ଲେବାନନ ଉପରେ ଆକ୍ରମଣ କରିଥିଲା । ଆଉ ଏହାର ପ୍ରଭାବ ଲେବାନନର ଖ୍ରୀଷ୍ଟିଆନଙ୍କ ଉପରେ ବି ପଡୁଥିଲା । ଯାହା ଖ୍ରୀଷ୍ଟିଆନଙ୍କ ବିଭିନ୍ନ ସମୁଦାୟ ମଧ୍ୟରେ ଦୂରତା ବଢ଼ାଇ ଦେଇଥିଲା ।

ଗୃହଯୁଦ୍ଧରେ ପଡୋଶୀ ଦେଶଙ୍କ ଏଣ୍ଟ୍ରି

ଲେବାନନରେ ଗୃହଯୁଦ୍ଧ ଚାଲିଥିବା ବେଳେ  ଏଥିରେ ପଡୋଶୀ ଦେଶ ବି ସାମିଲ ହୋଇଥିଲେ । ଯେମିତିକି ସିରିଆ ଓ ଇରାକ ମୁସଲାମ ସଙ୍ଗଠନ ସହ ଥିବା ବେଳେ ଇସ୍ରାଏଲ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ଛିଡ଼ା ହୋଇଥିଲା । ଏହି ସମୟରେ ହିଜବୁଲ୍ଲା, ଅଲ-ଅମଲ ଓ ମୁସଲିମ ସୋସିଆଲିଷ୍ଟ ପାର୍ଟି ପରି ଚରମପନ୍ଥି ସଙ୍ଗଠନ ମୁଣ୍ଡ ଟେକିଥିଲା । ପ୍ରାୟ ଦେଢ଼ ଦଶକ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧ ତାଏଫ ଏଗ୍ରୀମେଣ୍ଟ ସହ ବନ୍ଦ ହୋଇଥିଲା ।

ରାଜନୈତିକ ଭାଗବଣ୍ଟା

ନବେ ଦଶକ ଆରମ୍ଭରେ ଦେଶର ଏକାଧିକ ଧାର୍ମିକ ଓ ରାଜନୈତିକ ସଙ୍ଗଠନ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ଆଉ ଏହି ଆଧାରରେ ଦେଶ ଶାସନରେ ଦୁଇ ସମ୍ପ୍ରଦାୟଙ୍କୁ ସମାନ ଅଧିକାର ମିଳିଥିଲା । ରାଷ୍ଟ୍ରପତି ପଦ ଖ୍ରୀଷ୍ଟିଆନ ଓ ପ୍ରଧାନମନ୍ତ୍ରୀ ପଦ ସୁନ୍ନି ମୁସଲମାନଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଏପରିକି ପାର୍ଲିଆମେଣ୍ଟରେ ଆସାନର ଭାଗବଣ୍ଟା ମଧ୍ୟ ଧର୍ମ ଆଧାରରେ ହୋଇଥିଲା ।

ଧାର୍ମିକ ଜନସଂଖ୍ୟାରେ ପରିବର୍ତ୍ତନ

ଗୃହଯୁଦ୍ଧ ପରେ ଲେବାନନରେ ଧାର୍ମିକ ସମୀକରଣ ବଦଳି ଯାଇଥିଲା । ଗୃହଯୁଦ୍ଧ ସମୟରେ ବହୁତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଲେବାନନ ଛାଡି ପଶ୍ଚିମ ଦେଶକୁ ଚାଲିଯାଇଥିଲା । ଆଉ ଏହି ପ୍ରକ୍ରିୟା ଗୃହଯୁଦ୍ଧ ପରେ ବି ଜାରି ରହିଥିଲା । ଗୃହଯୁଦ୍ଧ ପରେ ପାଲେଷ୍ଟାଇନ ଓ ଜୋଡାନର ଶରଣାର୍ଥୀ ମଧ୍ୟ ଆସି ଲେବାନନରେ ରହିବାକୁ ଲାଗିଲେ । ଦେଶର ରାଜନୈତିକ ବ୍ୟବସ୍ଥା ଏଠିକାର ଶରଣାର୍ଥୀଙ୍କୁ ସୁହାଉଥିଲା । ଯେଉଁ କାରଣରୁ ଦେଶର ଧାର୍ମିକ ସ୍ଥିତି ଦ୍ରୁତଗତିରେ ବଦଳି ଥିଲା । ଆଉ ରାଜନୈତିକ ଶକ୍ତି ମୁସଲମାନ ନେତାଙ୍କ ହାତକୁ ଚାଲିଯାଇଥିଲା ।

କେବଳ ଲେବାନନ ନୁହେଁ ଦିନ ଥିଲା ପୂରା ମଧ୍ୟପ୍ରାଚ୍ୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ଜେରୁଜେଲମ ଓ ମିଡିଲ ଇଷ୍ଟ ଚର୍ଚ୍ଚ ଆସୋସିଏସନ ଅନୁସାରେ ଚତୁର୍ଥ ଶତାବ୍ଦୀ ଆରମ୍ଭରୁ ଏହି ଧର୍ମ ଜେରୁଜେଲମରୁ ସିରିଆ, ଜୋଡାନ, ଇଜିପ୍ଟ ଓ ବାକି ଅଞ୍ଚଳକୁ ଯାଇଥିଲା । ହେଲେ ବଡ଼ ବଡ଼ ଧାର୍ମିକ ଅଧିକାରୀଙ୍କ ମଧ୍ୟରେ ବିବାଦ କାରଣରୁ ଚର୍ଚ୍ଚର ବି ଭାଗବଣ୍ଟା ଆରମ୍ଭ ହୋଇଥିଲା । ଏହାସହ ଧାର୍ମିକ ଷ୍ଟ୍ରକଚର ବି ବଦଳିବାରେ ଲାଗିଥିଲା । ୭ମ ଶତାବ୍ଦୀରେ ମଧ୍ୟପ୍ରାଚ୍ୟକୁ ମୁସଲମାନ ବ୍ୟବସାୟୀଙ୍କ ଆଗମନ ପରେ ବିଭାଜନ ଅଧିକ ବଢ଼ିବାରେ ଲାଗିଥିଲା ।