ଗହଣା ବ୍ୟବସାୟୀଙ୍କୁ ନକଲି ଟଙ୍କା ଦେଇ ନେଇଗଲେ ୨ କିଲୋଗ୍ରାମରୁ ଅଧିକ ସୁନା

1 min read

ଅହମଦାବାଦ: ଗହଣା ବ୍ୟବସାୟୀଙ୍କୁ ଠକିଦେଲେ ଚୋର  । ଜାଲ ସାଢେ ଏକ କୋଟି ଟଙ୍କା ଦେଇ ୨ କିଲୋଗ୍ରାମରୁ ଅଧିକ ସୁନା ସେମାନେ ଠକି ନେଇଛନ୍ତି  । ପୋଲିସ ସୂଚନା ଅନୁସାରେ ଗହଣା ବ୍ୟବସାୟୀ ମେହୁଲ ଠକ୍କରଙ୍କ ପାଖକୁ ସେପ୍ଟେମ୍ବର ୨୩ରେ ପିଚିତ ଲକ୍ଷ୍ମୀ ଜୁଏଲର୍ସଙ୍କ ମ୍ୟାନେଜରଙ୍କ ଏକ ଫୋନ କଲ ଆସିଥିଲା  । ୨ କିଲୋ ୧୦୦ ଗ୍ରାମ ସୁନା କିଣିବା ପାଇଁ ଦୋକାନୀଙ୍କ ସହ ସେ ମୂଲଚାଲ କରିଥିଲା  । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ମେହୁଲ ଲକ୍ଷ୍ମୀ ଜୁଏଲର୍ସ ସହ ବ୍ୟବସାୟ କରି ଆସୁଛନ୍ତି  । ଏହି ଭରସାରେ ବ୍ୟବସାୟୀ ୧ କୋଟି ୬୦ ଲକ୍ଷ ଟଙ୍କାରେ ସୁନା ବିକିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  ।

ଏହାର ଠିକ୍‌ ପରଦିନ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ମେହୁଲଙ୍କୁ ଫୋନ କରି କହିଥିଲେ ଯେ ଜଣେ ପାର୍ଟିକୁ ଅତିଶୀଘ୍ର ସୁନା ଦରକାର  । ତାଙ୍କ RTGS କାମ କରୁନାହିଁ  । ଏଥିପାଇଁ ସେ ସୁନାର ସିକ୍ୟୁରିଟି ଆମାଉଣ୍ଟ ଦେଇ ପରଦିନ RTGS ଟଙ୍କା ପଠାଇ ଦେବେ  ।

ବ୍ୟବସାୟୀ ମେହୁଲ ଖୁବଶୀଘ୍ର ନିଜ ଷ୍ଟାଫଙ୍କୁ ୨ କିଲୋ ୧୦୦ ଗ୍ରାମ ସୁନା ଦେଇ ସିଜି ରୋଡ ପଠାଇତିଲେ  । ଘଟଣାସ୍ଥଳରେ ତିନି ଜଣ ଥିଲେ  । ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ନଗଦ ଟଙ୍କା ଗଣା ମେସିନ ଥିଲା  । ସୁନା କିଣୁଥିବା ଦୁଇ ଜଣ ବ୍ୟକ୍ତି ୧.୩୦ କୋଟି ଟଙ୍କା ସିକ୍ୟୁରିଟି ଟଙ୍କା ଡିପୋଜିଟ ଭାବେ ରଖି ସୁନା ମାଗିଥିଲେ  । ଆଉ ୩୦ ଲକ୍ଷ ଅନ୍ୟ ଏକ ଅଫିସରୁ ଦେବା ପାଇଁ କହିଥିଲେ ୩ ଠକ  ।

ମେହୁଲଙ୍କ ଷ୍ଟାଫ ସୁନା ଦେବା ପରେ ଯେତେବେଳେ ଟଙ୍କା ଦେଖିଥିଲେ ତାହା ନକଲି ଥିଲା  । ଆଶ୍ଚର୍ଯ୍ୟର କଥା ଯେ ଏହି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିଲା  । ଏହି ନକଲି ଟଙ୍କା ଉପରେ RBI ବଦଳରେ ରିସୋଲ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖା ହୋଇଥିଲା  । ସୂଚନା ମିଳିବା ପରେ ମେହୁଲ ସଙ୍ଗେସଙ୍ଗେ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ଭାବେ ଫୋନ ଆସିଥିବା ବ୍ୟକ୍ତିଙ୍କୁ କଲ୍‌ କରିବା ପରେ ତାଙ୍କ ଫୋନ ସୁଇଚ ଅଫ୍‌ ଆସିଥିଲା  ।