ଲେବାନନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ : ଲେବାନନ ଉପରେ ଆଜି ପୁଣି ଇସ୍ରାଏଲର ଜବରଦସ୍ତ ଆକ୍ରମଣ। ରାଜଧାନୀ ବେରୁତର ଏକାଧିକ ଠିକଣାରେ ହୋଇଛି ଏୟାର ଷ୍ଟ୍ରାଇକ। ଆଜିର ଆକ୍ରମଣରେ ବେରୁତରେ ୪ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ମିଳିଛି। ଗତକାଲିର ଆକ୍ରମଣରେ ୧୦୫ ଜଣଙ୍କ ମୃତ୍ଯୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ହମଲାରେ ୧ ହଜାରରୁ ଅଧିକ ଲେବାନନ ନାଗରିକଙ୍କ ମୃତ୍ଯୁ ଘଟିଲାଣି। ୬ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।ହେଜବୁଲ୍ଲାର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଲାଣି ଇସ୍ରାଏଲ । ହେଜବୁଲ୍ଲାକୁ ମୂଳପୋଛ କରିବାକୁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ।

ନସରୁଲ୍ଲା ସମେତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ସ୍ତବ୍ଧ କରିଦେଇଛି । ଇସଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଇ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି। ଇସ୍ରାଏଲର ଘନଘନ ଆକ୍ରମଣ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି। ନସରଲ୍ଲା ନିହତ ହେବା ପୂର୍ବରୁ ୧୨ ଶୀର୍ଷ କମାଣ୍ଡର ମଧ୍ୟ ନିପାତ ହୋଇସାରିଛନ୍ତି । ଏବେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ନସରଲ୍ଲାର ଉତ୍ତରାଧିକାରୀ ଖୋଜାଚାଲିଛି । ଏପଟେ ଘନଘନ ଆକ୍ରମଣକୁ ଦେଖି ଲେବାନନ ରାଜଧାନୀ ବେରୁତର ରଫିକ ହରାରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି।