ଅପରାଧିକ ମାନହାନି ମାମଲା ପ୍ରସଙ୍ଗ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅପରାଧିକ ମାନହାନି ମାମଲା ପ୍ରସଙ୍ଗ । ମାମଲାକୁ ରଦ୍ଦ କରିବା ଲାଗି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଆତିଶୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ଆବେଦନର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ । ୨୦୧୮ରେ ଦିଲ୍ଲୀ ଭୋଟର ତାଲିକାରୁ ଭୋଟରମାନଙ୍କ ନାମ ବାଦ୍ ଦିଆଯାଇଛି ବୋଲି ଆତିଶୀ ଓ କେଜରିଓ୍ବାଲ ଯେଉଁ ଅଭିଯୋଗ କରିଥିଲେ ତାହା ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ ବିଜେପି ନେତା ରାଜୀବ ବବର । ଜଷ୍ଟିସ ହୃଷୀକେଶ ରୟ ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ଏହି ମାମଲାକୁ ରଦ୍ଦ କରିବା ଲାଗି ଆତିଶୀ, କେଜରିଓ୍ବାଲ, ସୁଶୀଲ କୁମାର, ମନୋଜ କୁମାର କରିଥିବା ଆବେଦନକୁ ଗତ ସେପ୍ଟେମ୍ବର ୨ରେ ରଦ୍ଦ କରିଥିଲେ ଦିଲ୍ଲୀ ହାଇକୋର୍ଟ । ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆପ୍ ନେତା । ସେମାନେ ଅଭିଯୋଗ କରିଥିଲେ ଯେ ୨୦୧୮ରେ ଦିଲ୍ଲୀ ଭୋଟର ତାଲିକାରୁ ବଣିଆ, ପୂର୍ବାଞ୍ଚଳୀ ଓ ମୁସଲିମ ସମ୍ପ୍ରଦାୟର ୩୦ଲକ୍ଷ ଭୋଟରଙ୍କ ନାମ୍ ଜାଣିଶୁଣି ବାଦ୍ ଦିଆଯାଇଛି । ପୂର୍ବରୁ ଅକ୍ଟୋବର ୩ରେ ଟ୍ରାଏଲ କୋର୍ଟରେ ହାଜର ହେବା ଲାଗି ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ଗତ ୨୦୧୯ ମାର୍ଚ୍ଚ ୧୫ରେ ମାଜିଷ୍ଟ୍ରେଟଙ୍କ କୋର୍ଟ ଓ ୨୦୨୦ ଜାନୁଆରୀ ୨୮ରେ ଦୌରାଜଜଙ୍କ କୋର୍ଟ ମାନହାନି ମାମଲା ରଦ୍ଦ ଆବେଦନକୁ ଖାରଜ କରିଥିଲେ ।