ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାର୍ଯ୍ୟ, ଆନ୍ଧ୍ର ମାନୁନି ନିୟମ, ଡିଜାଇନକୁ କରୁଛି ପରିବର୍ତ୍ତନ

ଭୁବନେଶ୍ବର : ଜୋରସୋରରେ ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ କାର୍ଯ୍ୟ। ଓଡ଼ିଶା ପ୍ରତି ମାଡ଼ି ଆସୁଛି ବିପଦ। ପ୍ରକଳ୍ପ ଡିଜାଇନକୁ କରାଯାଇଛି ପରିବର୍ତ୍ତନ। ପ୍ରତିବାଦ ସତ୍ତ୍ବେ ବି ମାନୁନି ଆନ୍ଧ୍ର। ପୋଲାଭରମ ପ୍ରକଳ୍ପ ହେଲେ ବୁଡ଼ିଯିବ ମାଲକାନଗିରି। ଏନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ। ଆନ୍ଦୋଳନ କରିବା ସହ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। କିନ୍ତୁ ରାଜ୍ୟର ବିଜେପି ସରକାର ଏ ଦିଗରେ କୌଣସି ପଦକ୍ଷେପ ନେବା ତ ଦୂରର କଥା, ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର କଣ କ୍ଷତି ହେବ ତାର ବି ଟିକିଏ ସର୍ଭେ କଲେନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସାମାଜିକ ଅନୁଷ୍ଠାନ ଆମ ଜନତା ଅଧିକାର। ସରକାର କୌଣସି ଗୁରୁତ୍ବ ଦେଉନଥିବାରୁ ବିଶେଷଜ୍ଞଙ୍କୁ ନେଇ ସର୍ଭେ କରିଛନ୍ତି ସାମାଜିକ ସଙ୍ଗଠନ। କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ତଥା ପ୍ରକଳ୍ପ ଅଞ୍ଚଳର ପ୍ରାଥମିକ ଅନୁଧ୍ୟାନ କରିଛନ୍ତି ଏକ୍ସପର୍ଟ। ପୋଲାଭରମ ପ୍ରସଙ୍ଗରେ ସରକାରଙ୍କ ସ୍ଥାଣୁତାକୁ ଦେଖି ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କିଭଳି ବ୍ୟବସ୍ଥା କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛି ଆମ ଜନତା ଅଧିକାର।

ମାଲକାନଗିରିର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖି ସାରିଲେଣି ବିଜେଡି ଓ କଂଗ୍ରେସ। ପ୍ରକଳ୍ପ ହେଲେ କେଉଁ ଅଞ୍ଚଳ ବୁଡିଯିବ, ତାର ବି ଅନୁଧ୍ୟାନ କରାଗଲାଣି। କିନ୍ତୁ ସବୁ ଦାବିକୁ ଶୁଣିବାକୁ ନାରାଜ ସରକାର। ସମସ୍ୟାର ସମାଧାନ କରିବେ କଣ, ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ ବୋଲି ଅଭିଯୋଗ କରିଛି ସିଟିଜେନସ ଫୋରମ। କାରଣ ଏବେର ରାଜ୍ୟ ସରକାର ବିଭିନ୍ନ ନିଷ୍ପତ୍ତି ପାଇଁ କେନ୍ଦ୍ର ଉପରେ କରୁଛି ନିର୍ଭର। ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଛି। ତେଣୁ ସ୍ଥିତ ଜଟିଳ ହେବା ପୂର୍ବରୁ ପୋଲାଭରମ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ସିଟିଜେନସ ଫୋରମ।

ଉଭୟ କେନ୍ଦ୍ର ଓ ରାଜ୍ୟରେ ଅଛି ବିଜେପି ସରକାର। ତା ସାଙ୍ଗକୁ ଆନ୍ଧ୍ରରେ ମଧ୍ୟ ବିଜେପି ସହଯୋଗୀ ଭାବେ ସରକାରରେ ରହିଛି। ତେଣୁ ପୋଲାଭରମ ପ୍ରସଙ୍ଗରେ ଆନ୍ଧ୍ରକୁ ଲାଭ ଦେବାକୁ କେନ୍ଦ୍ର ଲାଗି ପଡିଥିବା ବେଳେ ଓଡ଼ିଶା କଣ ସାବତ ପୁଅ କି ବୋଲି ପ୍ରଶ୍ନ କରିଛି ଆମ ଜନତା ଅଧିକାର। ନ୍ୟାୟ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ପ୍ରଦାନ କରାଯିବା ସହ ଲଢ଼େଇ ଜାରି ରଖିବାକୁ ଦିଆଯାଇଛି ଚେତାବନୀ।