ରାଉରକେଲା ଗଣ ଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତ କୋର୍ଟରେ ହାଜର

ରାଉରକେଲା: ରାଉରକେଲା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲା ରଘୁନାଥପାଲି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ଜଣେ ଏବେ ବି ଫେରାର ଅଛି ।

ଗତ ୨୨ ତାରିଖ ରାତି ପ୍ରାୟ ୧୧ଟା ବେଳେ ଦୁଇ ପୁରୁଷ ବନ୍ଧୁଙ୍କ ସହ ସିଭିଲ ଟାଉନସିପରେ ଥିବା ହୋଟେଲ ହୃଦଙ୍ଗକୁ ଯାଇଥିଲେ ନାବାଳିକା । ସେଠାରେ ନାବାଳିକାଙ୍କୁ ଜୋରଜବରଦସ୍ତି ମଦ୍ୟ ପାନ କରାଇ ସେଠାରୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ରଘୁନାଥପାଲି ଥାନାରେ ଅଭିଯୋଗ ହେବାପରେ ହୋଟେଲ ହୃଦଙ୍ଗକୁ ପୋଲିସ ସହ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରି ସିଲ କରିଥିଲେ । ଗିରଫ ୬ ଜଣ ହେଲେ ଏମଡି ସୋହେଲ କୁରେସି ଓରଫ ବାଦସାହା, ଏମଡି ଜାରାଏତ, ବିନୋଦ କୁମାର ରାମ, ଦୀପକ ସୋନକର, ମହମ୍ମଦ ଦାନିସ, ଆଫତାବ ଖାଁ । ସମସ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ ।