ସଉଦା ପାଇଁ ଯାଇଥିବା ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଖୋର୍ଦ୍ଧା: ରାଉରକେଲାରେ ଗୋଟିଏ ପରେ ଗୋଟିଏ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଖୋର୍ଦ୍ଧାରୁ ଆସିଛି ସମାନ ଅଭିଯୋଗ । ସଉଦା ପାଇଁ ଯାଇଥିବା ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଜଟଣୀ ଅଞ୍ଚଳରେ । ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୀଡ଼ିତା ଦୋକାନକୁ ସଉଦା ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପଥର ଖଣି ପାଖରୁ ଗୁରୁତର ଅବସ୍ଥା ପାଇଥିଲେ ।

ଝିଅକୁ କୁଦିଆରି ଅଞ୍ଚଳର ଶଙ୍କର ବେହେରା ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶଙ୍କରଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭୁବନେଶ୍ୱର ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଟଣୀ ପୋଲିସ କହିଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ନେଇ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।