ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ସଫିଦ୍ଦିନ ହେଉଛି ନସରଲ୍ଲାର ସଂପର୍କୀୟ । ଗତକାଲି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ।

ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା । ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି ।

୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଗତକାଲିର ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରେ ସଫିଦ୍ଦିନ । ତା’ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ଅଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । କିଛି ଦିନ ତଳେ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଜୈନାବ ସୋଲେମାନଙ୍କ ଜ୍ଵାଇଁ ହେଉଛି ସଫିଦ୍ଦିନ । ସେ ମଧ୍ୟ ବହୁ ଦିନରୁ ହିଜବୁଲ୍ଲାରେ ଯୋଗ ଦେଇଥିଲା । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ହିଜବୁଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥ ବ୍ୟାପାରର ମୁଖ୍ୟ ହେଉଛି ସଫିଦ୍ଦିନ । ନସରଲ୍ଲା କେବଳ ମିଲିଟାରି ଦାୟିତ୍ଵ ସମ୍ଭାଳୁଥିଲା ।