ହସନ ମୃତ୍ୟୁ ପରେ କିଏ ନେବ ହେଜବୁଲ୍ଲାର ନେତୃତ୍ବ ?

ନୂଆଦିଲ୍ଲୀ: ଇସ୍ରାଏଲର ଘନ ଘନ ଆକ୍ରମଣ ଭାଙ୍ଗି ଦେଇଛି ହେଜବୁଲ୍ଲାର ମେରୁଦଣ୍ଡ । ହେଜବୁଲ୍ଲାକୁ ମୂଳପୋଛ କରିବାକୁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି । ଅପରେସନ ନ୍ୟୁ ଅର୍ଡରରେ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସରଲ୍ଲାକୁ ନିପାତ କରିଛି ଆଇଡିଏଫ । ନସରଲ୍ଲା ସମେତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ସ୍ତବ୍ଧ କରିଦେଇଛି । ଇସଲାମିକ ଦେଶ ଏକଜୁଟ ହୋଇ ଇସ୍ରାଏଲକୁ ରୋକିବାକୁ ଆହ୍ବାନ ଦେଇ ନିଜେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଅଲି ଖେମିନି ।

ଇସ୍ରାଏଲର ଘନଘନ ଆକ୍ରମଣ ଇରାନ, ସିରିୟା, ଇରାକ୍ ଓ ୟେମେନରେ ଆତଙ୍କ ସୃଷ୍ଟି କରିଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଇରାନର ପୂର୍ଣ୍ଣ ସମର୍ଥନରେ ହେଜବୁଲ୍ଲାର ନେତୃତ୍ୱ ନେଉଥିଲା ହସନ ନସରଲ୍ଲା । ଲଗାତାର ଘୃଣା  ପ୍ରସାର କରି ବିଶାଳ ସାମରିକ ସଂଗଠନ ଛିଡ଼ା କରିଥିଲା । ସାଧାରଣ ମିଲିସିଆରୁ ଆରମ୍ଭ ହୋଇ କାଳକ୍ରମେ ଲେବାନନ୍ ସେନାଠାରୁ ବି ଅଧିକ ଶକ୍ତିଶାଳୀ ବାହିନୀରେ ପରିଣତ ହୋଇଥିଲା ।

ନସରଲ୍ଲା ନିହତ ହେବା ପୂର୍ବରୁ ୧୨ ଶୀର୍ଷ କମାଣ୍ଡର ମଧ୍ୟ  ନିପାତ ହୋଇସାରିଛନ୍ତି । ଏବେ ହେଜବୁଲ୍ଲାର ନେତୃତ୍ବ କିଏ ନେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ନସରଲ୍ଲାର ଉତ୍ତରାଧିକାରୀ ଖୋଜା ଚାଲିଛି । ଏପଟେ ଘନଘନ ଆକ୍ରମଣକୁ ଦେଖି ଲେବାନନ ରାଜଧାନୀ ବେରୁତର ରଫିକ ହରାରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି ।