ଭରତପୁର ମିଛ ଉପରୁ ହଟିବ ପରଦା, ପଲିଗ୍ରାଫ ଟେଷ୍ଟ ଲାଗି ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୋଲିସ କର୍ମଚାରୀ

ଭୁବନେଶ୍ବର: ଭରତପୁର ଥାନା ମାମଲାରେ କିଏ କହୁଛି ମିଛ ? କିଏ ଲୁଚାଉଛି ଘଟଣାର ସତ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୋଲିସ କର୍ମଚାରୀ ଦେବେ ମିଛ ଧରା ପରୀକ୍ଷା । ଆସନ୍ତାକାଲି ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିପାଇଁ ଆଜି ସମସ୍ତଙ୍କୁ ନେଇ ଗୁଜରାଟର ଗାନ୍ଧୀନଗରକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍ ।

ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ବାକି ୪ ପୋଲିସଙ୍କ ପଲିଗ୍ରାଫ ଟେଷ୍ଟ ହେବ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କଠାରୁ ଘଟଣା ଦିନର ସତ ଆଦାୟ କରାଯିବ । ଏମାନଙ୍କ ଛଡା ଅନ୍ୟ ଜଣେ ପୋଲିସ ଏସଆଇ, ଯିଏ କି ସେଦିନ ରାତିରେ ଉପସ୍ଥିତ ଥିଲେ ତାଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ । ଜଣେ ଡିଏସପିଙ୍କ ନେତୃତ୍ବରେ ୫ ଜଣ ପୋଲିସ ଅଫିସର ଓ ସୁରକ୍ଷା କର୍ମୀ ସମସ୍ତଙ୍କୁ ନେଇ ଗୁଜରାଟ ଯିବେ ।

ଘଟଣା ଦିନ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନା ଯାଇଥିବାବେଳେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ପୋଲିସ ଖଣ୍ଡନ କରିଥିବାବେଳେ କିଏ ସତ କହୁଛି ଏହାର ପର୍ଦ୍ଦାଫାସ କରିବାକୁ ଏହି ସାଇଣ୍ଟିଫିକ ପରୀକ୍ଷା କରାଯାଉଛି ।