ବିଜେଡି ଟାର୍ଗେଟରେ ଯୁବ ଓ ଛାତ୍ର, ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ବର: ବିଜେଡ଼ିର ନୂଆ ସଭ୍ୟ ସଂଗ୍ରହ ଅଭିଯାନରେ ଫୋକସରେ ଯୁବ ଓ ଛାତ୍ର । ଟାର୍ଗେଟ ୧ କୋଟିରୁ ଅଧିକ ସଭ୍ୟ ସଂଗ୍ରହ । ତୃଣମୂଳସ୍ତରରୁ ଦୀର୍ଘ ମିଆଦୀ ଯୋଜନା ରଖି ଯୁବ ଓ ଛାତ୍ରଙ୍କୁ ଗୁରୁତ୍ଵ ଦେଇଛି ଦଳ । ସଭା ସମିତି ସହିତ ଡିଜିଟାଲ ମାଧ୍ୟମରେ ବି ସଭ୍ୟ ସଂଗ୍ରହ କରିବାକୁ ବିଜେଡି ପ୍ରସ୍ତୁତ କରିଛି ରୋଡମ୍ୟାପ । ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ନବୀନ ପଟ୍ଟନାୟକ ସ୍ବତନ୍ତ୍ର କମିଟି ଗଢି ଗୁରୁ ଦାୟିତ୍ବ ଦେଇଛନ୍ତି । ବିଜେଡ଼ି ପରି ବିଜେପି ଓ କଂଗ୍ରେସ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ଭିଡ଼ିଲେଣି ଅଣ୍ଟା ।

ଗତବର୍ଷ ବିଜେଡି ସଂଗ୍ରହ କରିଥିଲା ୧ କୋଟି ସଭ୍ୟ । ଚଳିତବର୍ଷ ଟାର୍ଗେଟ ଅଛି ଆହୁରି ଅଧିକ । ସଭ୍ୟ ସଂଗ୍ରହ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ଟାର୍ଗେଟ ଦେଇଛନ୍ତି, ସେହି ଲକ୍ଷ୍ୟ ହାସଲ ପାଇଁ ବିଜେଡି ସ୍ଵତନ୍ତ୍ର କମିଟି ଗଠନ କରିଛି । ହେବିଓ୍ବେଟ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି କମିଟିର ଆବାହାକ ଦାୟିତ୍ଵ ଦିଆଯାଇଛି । ତାଙ୍କୁ ସହଯୋଗ କରିବାକୁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ଯେଉଁଥିରେ ୨୧ ଜଣ ସଭ୍ୟ ଅଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଫୋକସ କରିଛି ଯୁବ ଓ ଛାତ୍ରଙ୍କ ଉପରେ । ୱାର୍ଡ, ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନୀ ମଣ୍ଡଳୀ ଯାଏଁ ବିଭିନ୍ନ ସଭା, ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୂରଣ କରାଯିବ । ଡିଜିଟାଲ ମାଧ୍ୟମର ବି ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଗତ ସାଧାରଣ ନିର୍ବାଚନରେ ଯେଉଁ ଜିଲ୍ଲାରେ ବିଜେଡି ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲା, ସେଠାରେ ସଭ୍ୟ ସଂଗ୍ରହ ମାଧ୍ୟମରେ ତୃଣମୂଳ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ସମ୍ଭବ । ଲୋକେ ଏହା ଅନୁଭବ କରୁଛନ୍ତି । ତେଣୁ ବିଜେଡିର ସଭ୍ୟ ହେବାକୁ ଯୁବ ଓ ଛାତ୍ରମାନେ ଇଚ୍ଛା ପ୍ରକାଶ କରୁଥିବା କହିଛି ବିଜେଡି ।

ବିଜେଡ଼ି ସଦସ୍ୟ ଅଭିଯାନର ବଡ଼ ପ୍ଲାନ ଦେଖି ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡ଼ି ୪୦.୨୨ ପ୍ରତିଶତ ଭୋଟ ପାଇ ରାଜ୍ୟର ୧ ନମ୍ବର ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି ୪୦. ୦୭ ପ୍ରତିଶତ ଭୋଟ ପାଇଛି । ଅର୍ଥାତ ବିଜେପି ଅପେକ୍ଷା ବିଜେଡିର ଭୋଟ ସେୟାର ଅଧିକ । ଏହାର ଅର୍ଥ ବିଜେଡ଼ି ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଅତୁଟ ରହିଛି । ଏବେ ପୁଣି ବିଜେଡି ସଦସ୍ୟ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ବିଜେପିର ଚିନ୍ତା ବଢି ଯାଇଛି । ବିଭିନ୍ନ ଦାୟିତ୍ବରେ ଥିବା ନେତା ଯଦି ଅତି କମରେ ଶହେ ସଦସ୍ୟ ସଂଗ୍ରହ ନ କରନ୍ତି, ତେବେ ପଦବୀରୁ ବିଦା କରିବାକୁ ଦଳୀୟ ନିର୍ଦ୍ଦେଶ ଥିବା ବିଜେପି ସାଂସଦ ନବ ମାଝୀ କହିଛନ୍ତି । ସେପଟେ ପିସିସି ସଭାପତି ନିଯୁକ୍ତି ହେଲା ପରେ ସଭ୍ୟ ସଂଗ୍ରହ ଅଭିଯାନ ତ୍ଵରାନ୍ଵିତ କରିବ କଂଗ୍ରେସ ।

ଅକ୍ବୋବର ୯ ତାରିଖରୁ ବିଜେଡ଼ିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଦୁଇମାସ ଧରି ଚାଲିବ । ଏହାକୁ ସଫଳ କରିବା ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛି ବିଜେଡି ।