ବିଜେପି ଶାସନରେ ଅସୁରକ୍ଷିତ ଆଦିବାସୀ: ସୁରକ୍ଷା ଦେବାକୁ ବିଜେଡି ଗଢିଲା ଜନଜାତି ସେଲ୍

ଭୁବନେଶ୍ବର: ଗଠନ ହେଲା ବିଜେଡିର ଜନଜାତି ସେଲ୍ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜନଜାତି ସେଲ୍ ହେଲା ଗଠନ । ଆଦିବାସୀ ବିକାଶ ପାଇଁ ୨୪ ବର୍ଷର ନବୀନ ସରକାର କରିଥିବା ସଫଳତା ସଂପର୍କରେ ଏହି ବୈଠକରେ ଦଳୀୟ ସଭାପତି ଦେଲେ ଦିଗଦର୍ଶନ । ସେପଟେ ଗତ ୧୦୦ ଦିନରେ ନୂଆ ସରକାର ଯେପରି ଭାବେ ଆଦିବାସୀ ମାରଣନୀତି ଆପଣେଇ ବିଭିନ୍ନ ଯୋଜନା କାଟି ଚାଲିଛନ୍ତି, ସେହି ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ନବୀନ ଦେଇଛନ୍ତି ନିର୍ଦ୍ଦେଶ । ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରିବାକୁ ବୈଠକରେ ନବୀନଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଆଦିବାସୀଙ୍କୁ ଧୋକା ଦେଇଛି ଡବଲ ଇଞ୍ଜିନ ସରକାର । କେନ୍ଦ୍ର ଭଳି ରାଜ୍ଯ ସରକାରଙ୍କର ବି ଆଦିବାସୀ ବିରୋଧୀ ମନୋଭାବ । ଆଦିବାସୀ ପୁଅ ମୁଖ୍ଯମନ୍ତ୍ରୀ ହେବା ସତ୍ତ୍ବେ ଅସୁରକ୍ଷିତ ଓ ଅବହେଳିତ ଜନଜାତି ବାସିନ୍ଦା । ହେଲେ ଆଦିବାସୀଙ୍କ ନିରନ୍ତର ବିକାଶ କେମିତି ହେବ ସେ ନେଇ ବିଜେଡି ଗଠନ କରିଛି ଜନଜାତି ସେଲ୍ । ରାଜ୍ଯରେ ଆଦିବାସୀ ଅବହେଳିତ, ଭୟ ଓ ଆଶଂକାରେ ରହୁଥିବାରୁ ଉଦବେଗ ପ୍ରକାଶ କରି ଜନଜାତି ସେଲ୍ ଉପରେ ମୋହର ମାରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନଙ୍କ ଶାସନ ସମୟରେ ଆଦିବାସୀ ବିକାଶ ହେଉଥିଲା । ହେଲେ ମୋହନ ସରକାରଙ୍କ ଯୋଗୁଁ ଭୟ ଓ ଆଶଙ୍କାରେ ଆଦିବାସୀ ରହୁଛନ୍ତି ବୋଲି ବୈଠକରେ ଆଦିବାସୀ ନେତାମାନେ ଅଭିଯୋଗ କରିଛନ୍ତି । ନବୀନ କରିଥିବା ଆଦିବାସୀ ବିକାଶ ଯୋଜନାଗୁଡ଼ିକ ବନ୍ଦ କରିବାରେ ଲାଗିଛନ୍ତି ମୋହନ ସରକାର । ଏ ସବୁ ଚରମ ଅବହେଳା ବିରୋଧରେ ଆଗାମୀ ଦିନରେ ରାଜ୍ୟର ଆଦିବାସୀମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଗତ ନିର୍ବାଚନରେ ବିଜେପିର ମିଛ କଥାରେ ଲୋକେ ଢଳିଥିଲେ । ହେଲେ ଏବେ ସେମାନେ ବିଜେପିର ମିଛ ପ୍ରତିଶ୍ରୁତିକୁ ବୁଝିପାରୁଛନ୍ତି ବୋଲି ଆଦିବାସୀ ନେତାମାନେ ବୈଠକରେ ମତ ପ୍ରକାଶ କରିଛନ୍ତି । ସମସ୍ତ ଆଦିବାସୀଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ । ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାର ଅନୁମୋଦନ ମିଳିବା ପରେ ଜିଲ୍ଲା ସ୍ତରୀୟ କମିଟି ଗଠନ ଦିଗରେ ବି କାମ ହେବ ।

ଅକ୍ଟୋବର ୨ରୁ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଜନସଂପର୍କ ପଦଯାତ୍ରାରେ ଆଦିବାସୀଙ୍କ ବିରୋଧରେ ଡବଲ ଇଞ୍ଜିନ ସରକାରର ଧୋକାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବହେଳା ବିରୋଧରେ ଲୋକଙ୍କୁ ସଚେତନ କରିବ ନବୀନ ବ୍ରିଗେଡ ।