ଭାଙ୍ଗିଗଲା ଡାକ୍ତର ହେବା ସ୍ବପ୍ନ: ଦୁର୍ଘଟଣାରେ ଦୁଇ ଗୋଡ଼ ଭାଙ୍ଗିଯିବା ପରେ ପାଠରେ ଲାଗିଲା ଡୋରି, ଚିକିତ୍ସା ପାଇଁ ଅର୍ଥ ବାଧକ

କନ୍ଧମାଳ: ଅଧାରେ ରହିଗଲା ଡାକ୍ତର ହେବା ସ୍ବପ୍ନ । ଦୁର୍ଘଟଣାରେ ଦୁଇ ଗୋଡ ଭାଙ୍ଗିଯିବା ପରେ ପାଠପଢାରେ ଲାଗିଥିଲା ଡୋରି । ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ସୁସ୍ମିତା ଗୌଡ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବା ନେଇ ସ୍ଵପ୍ନ ଦେଖିଥିଲେ । ଯାହା ଆଜି ଚୁରମାର୍ ହୋଇଯାଇଛି । ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଲୋଡିଲେ ପରିବାର ।

ସୁସ୍ମିତା ବ୍ରହ୍ମପୁର ସ୍ଥିତ ଶ୍ରୀଷ୍ଠି ନିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପାଠ ପଢୁଥିଲେ । ଭବିଷ୍ଯତରେ ଜଣେ ଡାକ୍ତର ହେବା ଲକ୍ଷ୍ଯ ନେଇ ଦିନରାତି ଏକ କରି ପାଠ ପଢୁଥିଲେ । ହେଲେ ତାଙ୍କର ଡାକ୍ତର ହେବା ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯାଇଛି । କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ୨ ଗୋଡ ଭାଙ୍ଗି ଯିବାରୁ ଏବେ ଅସହାୟ ଅବସ୍ଥାରେ ଘରେ ପଡିଛନ୍ତି । ଝିଅର ଚିକିତ୍ସା ପାଇଁ ଦାଦନ ଶ୍ରମିକ ମାଆ ପାଖରେ ନାହିଁ ଅର୍ଥବଳ । ତେଣୁ ସୁସ୍କିତାଙ୍କ ଚିକିତ୍ସା ପାଇଁ ସରକାର ସହାୟତାର ହାତ ବଢ଼ାଇବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ସୁସ୍ମିତାଙ୍କ ବାପାଙ୍କ ପରଲୋକ ହୋଇ ସାରିଛି । ସ୍ବାମୀଙ୍କ ମୃତ୍ୟୁ ପରେ ସୁସ୍ମିତାଙ୍କ ମାଆ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ସହ ସୁସ୍ମିତାଙ୍କୁ ପାଠ ପଢାଉଥିଲେ । ଝିଅ ଡାକ୍ତର ହେବା ପରେ ପରିବାର ଦୁଃଖ ଦୂର ହୋଇଯିବ ମାଆ ଆଶା ରଖିଥିଲେ । ହେଲେ ଝିଅ ଏମିତି ଅବସ୍ଥାରେ ଘରେ ପଡିଥିବାରୁ ଘରକୁ ଫେରିଆସିଛନ୍ତି । ଦାଦନ ଖଟି ଯାହା କିଛି ସଞ୍ଚୟ କରିଥିଲେ ତାହା ସୁସ୍ମିତାଙ୍କ ଚିକିତ୍ସାରେ ଶେଷ ହୋଇ ସାରିଛି । ଆଗକୁ ଆଉ ୪ଟି ଅପରେସନ ଥିବା ବେଳେ କେଉଁଠୁ ଅର୍ଥ ଯୋଗାଡ଼ କରିବେ ସେହି ଚିନ୍ତାରେ ପଡିଛନ୍ତି ।