ମ୍ୟାଲେରିଆରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଡାକ୍ତରୀ ଚିକିତ୍ସା ଉପରୁ ତୁଟିଲା ଭରସା, ଗୁଣି ଗାରେଡିର ସାହାରା ନେଲେ ଲୋକେ

ନବରଙ୍ଗପୁର: ଦୁଇ ଜଣଙ୍କ ମୃତ୍ୟୁ ପରେ ଚିକିତ୍ସା ଉପରୁ ତୁଟିଲା ଲୋକଙ୍କ ବିଶ୍ବାସ । ଗୁଣି ଗାରେଡି ଓ ପୂଜା ପାଠର ନେଲେ ସାହାରା । ଏମିତି ସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନୂଆଗାଁରେ । ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଲୋକେ ଡାକ୍ତରୀ ଚିକିତ୍ସା ଉପରୁ ଭରସା ହରାଇ ଗୁଣି ଗାରେଡିର ଆଶ୍ରୟ ନେଇଛନ୍ତି । ଗାଁରେ ଚାଲିଛି ଝଡ଼ାଫୁଙ୍କା ଓ ପୂଜାପାଠ ।

ସାନପାରାର ରାଇସିଂ ଗଣ୍ଡ ଓ ବଡ଼ପାରାର ବିଷ୍ଣୁ ଗଣ୍ଡଙ୍କ ମ୍ୟାଲେରିଆରେ ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲାକୁ କାମ କରିବାକୁ ଯାଇ ସେଠାରୁ ଅସୁସ୍ଥ ହୋଇ ଗାଁକୁ ଫେରିଥିଲେ । ରାୟଗଡ଼ାରୁ ଫେରିଥିବା ୨୩ ଜଣଙ୍କ ମଧ୍ୟରୁ ୧୧ ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ ହୋଇ ଗୁଣି ଗାରେଡିର ସାହାରା ନେଇଛନ୍ତି । ଗାଁରେ ଗୁଣିଆ ଡାକି ପୂଜାପାଠ କରୁଛନ୍ତି ।

ଅନ୍ୟପଟେ ଦୁଇଟି ଗାଁରେ ରହି ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍ । ବଡ଼ପାରା ଗାଁରେ ୨୫୭ ଜଣଙ୍କ ଓ ସାନପାରା ଗାଁରେ ୧୪୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆକ୍ରାନ୍ତଙ୍କୁ ଔଷଧ ଦିଆଯାଇଛି ଓ ଲୋକଙ୍କୁ ସଚେତନତା କରାଯାଉଛି । ଲୋକେ ମଶାରୀ ବ୍ୟବହାର କରୁଛନ୍ତି କି ନାହିଁ ତାହାର ତଦାରଖ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହାସହ ଆକ୍ରାନ୍ତ ଚିହ୍ନଟ ହେବା ମାତ୍ରେ ସେମାନଙ୍କୁ ମେଡିକାଲ ଆଣିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।