ନର୍ସିଂ ଆନ୍ଦୋଳନ: ସ୍ବାସ୍ଥ୍ୟସେବା ଠପ୍, ରୋଗୀଙ୍କ ଚିନ୍ତା କାହାର ନାହିଁ ?

1 min read

ଭୁବନେଶ୍ବର: ଦ୍ବିତୀୟ ଦିନରେ ପହଞ୍ଚିଛି ନର୍ସିଂ କର୍ମଚାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ସାରା ରାଜ୍ୟରେ ରୋଗୀ ସେବା ଠପ୍ ହୋଇଯାଇଛି । ସରକାରୀ ଡାକ୍ତରଖାନାରେ ଚିକିତ୍ସା ନପାଇ ଅନ୍ୟ ଘରୋଇ ହସ୍ପିଟାଲକୁ ରେଫର ହେଉଛନ୍ତି ରୋଗୀ । ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ବି ଜରୁରୀକାଳୀନ ସେବା ଯୋଗାଉଥିଲେ ନର୍ସ । ହେଲେ ସରକାର ଦାବି ନଶୁଣିବାରୁ ଗତକାଲିଠୁ ସମ୍ପୂର୍ଣ୍ଣ କାର୍ଯ୍ଯବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ । ୧୦ ଦଫା ଦାବି ନେଇ ବିକ୍ଷୋଭରେ ପ୍ରାୟ ୧୫ ହଜାର ନର୍ସ ସାମିଲ ହୋଇଛନ୍ତି । ଆନ୍ଦୋଳନ ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦୟନୀୟ ସମସ୍ୟା ଭୋଗୁଥିଲେ ବି ଏଥିପ୍ରତି କାହାର ନଜର ନାହିଁ । ନର୍ସଙ୍କ ଆନ୍ଦୋଳନର ପ୍ରଭାବ ରାଜ୍ୟର ବିଭିନ୍ନ ମେଡିକାଲରେ ଦେଖିବାକୁ ମିଳୁଛି । ରାଜ୍ୟରେ ସ୍ବାସ୍ଥ୍ୟସେବା ଏହି ଆନ୍ଦୋଳନ ଯୋଗୁଁ ଭୁଶୁଡ଼ି ପଡିଛି । ଗୋଟିଏ ପଟେ ନର୍ସିଂ କର୍ମଚାରୀ ସେମାନଙ୍କ ଦାବିରେ ଅଟଳ ରହିଥିବା ବେଳେ ସେପଟେ ସରକାର କୌଣସି ସମାଧାନର ବାଟ ବାହାର କରୁ ନଥିବା ଅଭିଯୋଗ ହେଉଛି । ଏମିତି ସ୍ଥିତିରେ ମେଡିକାଲ ଆସୁଥିବା ଜଣେ ରୋଗୀର ଚିକିତ୍ସା କେମିତି ହେବ ସେ ଚିନ୍ତା କେହି କରୁ ନଥିବା ଅଭିଯୋଗ ହେଉଛି ।

ଅନଭିଜ୍ଞ ଛାତ୍ରଛାତ୍ରୀ କରୁଛନ୍ତି ରୋଗୀ ସେବା

ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବଲାଙ୍ଗୀରରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ଠପ୍ ହୋଇଯାଇଛି । ବଲାଙ୍ଗୀର ମେଡିକାଲର ୱାର୍ଡରେ ନର୍ସିଂ ଅଫିସରଙ୍କ ବିନା ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ଇଞ୍ଜେକସନ୍ ଦେବାକୁ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି I ଘରୋଇ କଲେଜରୁ ଅନଭିଜ୍ଞ ମେଡିକାଲ ଛାତ୍ରଛାତ୍ରୀ ଆସି ରୋଗୀ ସେବା କରୁଛନ୍ତି I ହେଲେ ଗୁରୁତର ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯିବ ସେମାନେ କିଛି ଜାଣିନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଏଭଳି ବିପର୍ଯ୍ୟସ୍ତ ବ୍ୟବସ୍ଥା ।

ଶିଶୁକୁ ରକ୍ତ ଦେବାକୁ କେହି ନାହାନ୍ତି

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୟନୀୟ ପରିସ୍ଥିତି । ଆଜି ସକାଳୁ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କୁ ଚିକିତ୍ସା ନକରି ଡାକ୍ତର ଡିସଚାର୍ଜ କରି ଦେଇଥିବା ଅଭିଯୋଗ ହୋଇଛି । ଡିସଚାର୍ଜ ପରେ ରୋଗୀଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଡିସଚାର୍ଜ ହୋଇଥିବା ରୋଗୀଙ୍କ ମଧ୍ଯରେ ଅଧିକାଂଶ ଶିଶୁ ରୋଗୀ । ସେମାନଙ୍କୁ ଡାକ୍ତର ଡିସଚାର୍ଜ କରି ଦେବା ଫଳରେ ନିଜ ପିଲାର କିପରି ଓ କେଉଁଠି ଚିକିତ୍ସା କରିବେ ସେ ନେଇ ଚିନ୍ତାରେ ଅଭିଭାବକ । ଏପରିକି ଜଣେ ଶିଶୁ ରୋଗୀର ଅଭିଭାବକ କହିଛନ୍ତି, ତାଙ୍କ ପିଲାକୁ ରକ୍ତ ଦେବାର ଥିଲା । ରକ୍ତ ଆଣି ରଖିବା ସତ୍ତ୍ବେ ନର୍ସ ନଥିବାରୁ ରକ୍ତ ଚଢା ହୋଇପାରୁନି । ଏବେ କ’ଣ କରିବୁ କିଛି ଚିନ୍ତା କରିପାରୁନୁ ବୋଲି ଉକ୍ତ ଶିଶୁ ରୋଗୀଙ୍କ ବାପା କହିଛନ୍ତି । ଅନ୍ଯପଟେ ଡାକ୍ତରମାନେ ଔଷଧ ଲେଖି ଦେଇ ବିଦା କରିଦେଉଛନ୍ତି । ଏପରି ବିକଳ ଅବସ୍ଥା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଲାଗି ରହିଥିବା ବେଳେ ରୋଗୀ ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ ମୁହାଁ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି ।

ଆଉଟଡୋରରେ ବିତୁଛି ଘଣ୍ଟା ଘଣ୍ଟା

ନର୍ସିଂ ଆନ୍ଦୋଳନ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଉଟଡୋରରେ ରୋଗୀ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ କଥା ନକହିବା ଭଲ । ୧୦ ଦଫା ଦାବି ପୂରଣ ପାଇଁ ନର୍ସିଂ ଅଫିସର ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି ।