UNରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ତା’ପରେ ଭାରତ…

ନୂଆଦିଲ୍ଲୀ: କାଶ୍ମୀର ରାଗ ଛାଡ଼ି ପାରୁନି ପାକିସ୍ତାନ । ନିଜ ଦେଶର ଲୋକେ ଭୋକରେ ମରୁଥିବା ବେଳେ ଦୁଇ ବେଳେ ଦୁଇ ମୁଠା ଦାନା ଦେବାକୁ ବ୍ୟବସ୍ଥା କରିବା ଛାଡ଼ି ଶେହବାଜ ସରକାର କାଶ୍ମୀର ପ୍ରସଙ୍ଗ ଧରି ଭାରତକୁ ବଦନାମ କରିବାକୁ ଚାହୁଁଛନ୍ତି । ଗଣତନ୍ତ୍ରର ଅର୍ଥ କ’ଣ ଜାଣଇ ନଥିବା ପାକିସ୍ତାନ ଜାତିସଙ୍ଘରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ବିଶ୍ବସ୍ତରରେ ଲୋକହସ ହୋଇଛି ।

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଜାତିସଙ୍ଘରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଏହାକୁ ସମାଲୋଚନା କରିବା ସହ କଟାକ୍ଷ କରିଛି ଭାରତ । ଜମ୍ମୁ ଓ କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ କାଶ୍ମୀର ପ୍ରସଙ୍ଗ ପାକିସ୍ତାନ ଉଠାଇଥିବାରୁ କ୍ଷୁବ୍ଧ ହୋଇଛି ଭାରତ । ଜାତିସଂଘରେ ନିଯୁକ୍ତ ଭାରତୀୟ କୂଟନୀତିଜ୍ଞ ଭାବିକା ମଙ୍ଗଳାନନ୍ଦନ କହିଛନ୍ତି, ପଡୋଶୀ ରାଷ୍ଟ୍ରଗୁଡିକରେ ସୀମାପାର ଆତଙ୍କବାଦର ପ୍ରସାର ପାକିସ୍ତାନ କରିଆସୁଥିବା ବିଶ୍ବବାସୀ ଜାଣିଛନ୍ତି । ଭାରତର ସଂସଦ ଭବନ ଉପରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କଲେ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବି ପାକ୍ ପ୍ରରୋଚିତ ଆତଙ୍କବାଦୀ ଆକ୍ରମଣ କଲେ । ବିଭିନ୍ନ ପୀଠସ୍ଥଳ, ମାର୍କେଟରେ ବି ଆକ୍ରମଣ କରାଯାଇଛି । ଯାହାର ତାଲିକା ବହୁତ ଲମ୍ବା । ଅନୈତିକ ଉପାୟରେ ହେଉଥିବା ନିର୍ବାଚନର ଦେଶ ପାକିସ୍ତାନ ‘ଗଣତନ୍ତ୍ର’ ସମ୍ପର୍କରେ କହିବା ଶୋଭା ପାଏ ନାହିଁ ।

ନିଜ ଉଦବୋଧନରେ ଶେହବାଜ ଜାମ୍ମୁ ଓ କାଶ୍ମୀରର ଅବସ୍ଥାକୁ ପାଲେଷ୍ଟାଇନ ସହ ତୁଳନା କରିବା ପରେ କ୍ଷୁବ୍ଧ ହୋଇଥିଲା ଭାରତ । ଶେହବାଜ କହିଥିଲେ, ଜମ୍ମୁ ଓ କାଶ୍ମୀରବାସୀ ନିଜର ଆତ୍ମ ନିର୍ଦ୍ଧାରଣ ଅଧିକାର ଓ ସ୍ବାଧୀନତା ଲାଗି ଦୀର୍ଘ ୧୦୦ ବର୍ଷ ଧରି ସଂଗ୍ରାମ କରିଆସୁଛନ୍ତି । ଜମ୍ମୁ ଓ କାଶ୍ମୀରରୁ ହଟାଇ ଦିଆଯାଇଥିବା ଧାରା ୩୭୦କୁ ପୁଣି ଫେରାଇ ଦିଆଯାଉ ବୋଲି ସେ ଦାବି କରିଥିଲେ ।

ବାରମ୍ବାର ବିଶ୍ବ ସଙ୍ଗଠନରେ କାଶ୍ମୀର ପ୍ରସଙ୍ଗ ଉଠାଇ ନିଜକୁ ଲୋକହସା କରିଆସୁଛି ପାକିସ୍ତାନ । ସରକାର ବଦଳୁଛି, ମୁଖିଆ ବଦଳୁଛନ୍ତି, ହେଲେ ପାକିସ୍ତାନୀ କାଶ୍ମୀର ରାଗ ଛାଡ଼ି ପାରୁନାହାନ୍ତି । କାଶ୍ମୀର ପ୍ରସଙ୍ଗ ଉଠାଇ ବିଶ୍ବ ଦରବାରର ନଜର ନିଜ ଆଡ଼କୁ କରି ଭିକ ମାଗିବା ପାକିସ୍ତାନର ଅଭ୍ୟାସରେ ପରିଣତ ହୋଇଗଲାଲି ।