ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା: ସାରା ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଭଦ୍ରକ ପୁରୁଣାବଜାର ଓ ସନ୍ଥିଆରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ। ଉତ୍ତେଜନା ପ୍ରକାଶ ପରେ ଭଦ୍ରକ ପୁରୁଣାବଜାର, ଚନ୍ଦନବଜାର, ସନ୍ଥିଆ ଅଞ୍ଚଳ ସମେତ ଧାମନଗର ଏନଏସି ଓ ଦୋବଲରେ ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫୁ ଜାରି କରାଯାଇଛି। ଏଥିସହ ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସହରରେ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଂ କରାଯାଉଛି। ଆବଶ୍ୟକତା ଅନୁସାରେ ଅଧିକ ଫୋର୍ସ ମୁତୟନ ପାଇଁ ଯୋଜନା କରାଯାଉଛି। ଘଟଣାକୁ ନେଇ ଭଦ୍ରକରେ ୧୦ ଓ ଧାମନଗରରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ପକ୍ଷର ମୁରବିଙ୍କୁ ନେଇ ଶାନ୍ତି କମିଟି ବୈଠକ ଡକାଯିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ପ୍ରଥମେ ଗୋଟିଏ ଗୋଷ୍ଠୀର ଶତାଧିକ ଲୋକ ଟାୟାର ଜାଳି ଏକ ରାଲି ବାହାର କରୁଥିବା ବେଳେ, ଭଦ୍ରକ ସନ୍ଥିଆ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ପୋଲିସ ଏହି ରାଲି ବନ୍ଦ କରି ଦୋଷୀକୁ ଧରିବାକୁ ଯାଉଥିବା ବେଳେ ପଥର ମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏଥିସହ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ଆକ୍ରମଣ ବେଳେ ଗାଡି ଭଙ୍ଗାରୁଜା ବେଳର ଭିଡିଓ ଯାଞ୍ଚ କରାଯାଉଛି।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସଦଭାବନା ବ୍ୟାହତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ଖବର । କୁହୁଡି, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଧାମନଗର ଆରଡି ସମେତ ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଛି। କିନ୍ତୁ ସବୁ ଜାଣିଥିଲେ ବି ଚୁପ ବସିଛି ପୋଲିସ ପ୍ରଶାସନ। ଯଦି ଏଭଳି ପରିସ୍ଥିତି ଜାରି ରୁହେ, ତେବେ ଆଗକୁ କେତେବେଳେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ତାହା କହିହେବ ନାହିଁ।