ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

1 min read

ଭୁବନେଶ୍ବର: ଲଗାଣ ବର୍ଷାରେ ବେହାଲ ଓଡିଶା। ଉପାନ୍ତରୁ ଉପକୂଳ ସବୁଠି ଲାଗି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲା ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିବ। ୨୯ ଓ ୩୦ ତାରିଖରେ ବର୍ଷାର ପରିମାଣରେ ସାମନ୍ୟ କମିପାରେ। ତେବେ ଆସନ୍ତା ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ । ବାଂଲାଦେଶ ତଥା ନିକଟସ୍ଥ ଉତ୍ତର-ପୂର୍ବ ରାଜ୍ୟ ଗୁଡିକ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ପ୍ରବଳ ବର୍ଷା ନେଇ ୧ ତାରିଖରେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜଳବନ୍ଦୀ ସମସ୍ୟା ଉପୁଜିଲେ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।