ପାଶ୍ଚାତ ରାଷ୍ଟ୍ରଙ୍କୁ ପୁଟିନଙ୍କ ଧମକ: ରୁଷିଆ ଉପରେ ଆକ୍ରମଣ ହେଲେ ପରମାଣୁ ବୋମା ଫିଙ୍ଗିବି

ମସ୍କୋ:  ପାଶ୍ଚାତ୍ଯ ରାଷ୍ଟ୍ରଙ୍କୁ ପୁଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୋଲା ଚେତାବନୀ । ଯଦି ରୁଷିଆ ଉପରେ ଆକ୍ରମଣ ଲାଗି କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ଓ ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଏ ତେବେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ ବୋଲି ଧମକ ଦେଇଛନ୍ତି ପୁଟିନ ।

ରୁଷିଆ ଉପରକୁ ପାଶ୍ଚାତ୍ଯ ରାଷ୍ଟ୍ର ନିର୍ମିତ କନଭେନସନାଲ ମିସାଇଲ ପ୍ରୟୋଗ କରିବାକୁ ଯଦି ଆମେରିକା ଓ ବ୍ରିଟେନ ଅନୁମତି ଦିଅନ୍ତି ତେବେ ରୁଷିଆ ନିଜର ଆଣବିକ ନୀତିରେ ପରିବର୍ତ୍ତନ କରିବ ବୋଲି ପୁଟିନ କହିଛନ୍ତି ।

କନଭେନସନାଲ ଅସ୍ତ୍ର ହେଉଛି ଆଣବିକ ଶକ୍ତିଠାରୁ ଭିନ୍ନ ଓ କେମିକାଲ ଏନର୍ଜି ଭିତ୍ତିକ ବିସ୍ଫୋରକରେ ଏହା ନିର୍ମିତ । ଏହା ଜରିଆରେ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ସିଲଡ, ସମୁଦ୍ର ଓ ସ୍ଥଳରେ ବ୍ଯବହୃତ ଲ୍ଯାଣ୍ଡମାଇନ, ବୋମା, ରକେଟ, ମିସାଇଲ, କ୍ଲଷ୍ଟର ବୋମା ଆଦି ନିର୍ମିତ ହୋଇଥାଏ ଯାହା ଅତ୍ୟନ୍ତ ବିପଜ୍ଜନକ ।

ରୁଷିଆ ନିରାପତ୍ତା ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପୁଟିନ । ସେ କହିଛନ୍ତି, ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ସହାୟତାରେ ଆଣବିକ ଶକ୍ତି ସମ୍ପନ୍ନ ହୋଇ ନଥିବା କୌଣସି ରାଷ୍ଟ୍ର ଯଦି ରୁଷିଆ ଉପରେ ଆକ୍ରମଣ କରେ ତେବେ ଏହାକୁ ରୁଷିଆ ଉପରେ ମିଳିତ ଆକ୍ରମଣ ବୋଲି ରୁଷିଆ ବିଚାର କରିବ । ରୁଷିଆ ଉପରେ ୟୁକ୍ରେନ ପକ୍ଷରୁ ବଡ଼ ଧରଣର ମିସାଇଲ, ଡ୍ରୋନ ଓ ବିମାନ ଆକ୍ରମଣ ହେଉଥିବାରୁ ଉଗ୍ରରୂପ ଧାରଣ କରିଛନ୍ତି ପୁଟିନ । ଏପରିକି ନିଜର ସହଯୋଗୀ ରାଷ୍ଟ୍ର ବେଲାରୁଷ ଉପରେ ବି ଯଦି ଆକ୍ରମଣ ହେବ ତେବେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।