ପାଶ୍ଚାତ୍ଯ ରାଷ୍ଟ୍ରଙ୍କୁ ପୁଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି

ନନ୍ଦିଘୋଷ ବ୍ୟୁରୋ : ପାଶ୍ଚାତ୍ଯ ରାଷ୍ଟ୍ରଙ୍କୁ ପୁଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଲିଆଖି। ଯଦି ରୁଷିଆ ଉପରେ ଆକ୍ରମଣ ଲାଗି କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରେ ଏବଂ ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଆକ୍ରମଣ କରାଯାଏ ତେବେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ ବୋଲି ଧମକ ଦେଇଛନ୍ତି ପୁଟିନ। ରୁଷିଆ ଉପରକୁ ପାଶ୍ଚାତ୍ଯ ରାଷ୍ଟ୍ର ନିର୍ମିତ କନଭେନସନାଲ ମିସାଇଲ ପ୍ରୟୋଗ କରିବାକୁ ଯଦି ଆମେରିକା ଓ ବ୍ରିଟେନ ଅନୁମତି ଦିଅନ୍ତି ତେବେ ରୁଷିଆ ନିଜର ଆଣବିକ ନୀତିରେ ପରିବର୍ତ୍ତନ କରିବ ବୋଲି ସେ କହିଛନ୍ତି ।

କନଭେନସନାଲ ଅସ୍ତ୍ର ହେଉଛି ଆଣବିକ ଶକ୍ତି ଠାରୁ ଭିନ୍ନ ଏବଂ କେମିକାଲ ଏନର୍ଜିଭିତ୍ତିକ ବିସ୍ଫୋରକରେ ଏହା ନିର୍ମିତ । ଏହା ଜରିଆରେ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ସିଲଡ, ସମୁଦ୍ର ଓ ସ୍ଥଳରେ ବ୍ଯବହୃତ ଲ୍ଯାଣ୍ଡମାଇନ, ବୋମା, ରକେଟ, ମିସାଇଲ, କ୍ଲଷ୍ଟର ବୋମା ଆଦି ନିର୍ମିତ ହୋଇଥାଏ ଯାହା ଅତ୍ୟନ୍ତ ବିପଜ୍ଜନକ। ରୁଷିଆ ନିରାପତ୍ତା ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି ପୁଟିନ। ସେ କହିଛନ୍ତି, ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ସହାୟତାରେ ଆଣବିକ ଶକ୍ତି ସମ୍ପନ୍ନ ହୋଇ ନଥିବା କୌଣସି ରାଷ୍ଟ୍ର ଯଦି ରୁଷିଆ ଉପରେ ଆକ୍ରମଣ କରେ ତେବେ ଏହାକୁ ରୁଷିଆ ଉପରେ ମିଳିତ ଆକ୍ରମଣ ବୋଲି ରୁଷିଆ ବିଚାର କରିବ । ରୁଷିଆ ଉପରେ ୟୁକ୍ରେନ ପକ୍ଷରୁ ବଡ଼ଧରଣର ମିସାଇଲ, ଡ୍ରୋନ ଓ ବିମାନ ଆକ୍ରମଣ ହେଉଥିବାରୁ ଉଗ୍ରରୂପ ଧାରଣ କରିଛନ୍ତି ପୁଟିନ । ଏପରିକି ନିଜର ସହଯୋଗୀ ରାଷ୍ଟ୍ର ବେଲାରୁଷ ଉପରେ ବି ଯଦି ଆକ୍ରମଣ ହେବ ତେବେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ସେ କହିଛନ୍ତି ।