ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା, ଓଡିଶା ଲିଙ୍କ୍ !, ସନ୍ଦେହ ଘେରରେ ଥିବା ଯୁବକଙ୍କ ଆତ୍ମହତ୍ୟା

ଆରଡି : ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ପୋଲିସର ସନ୍ଦେହ ଘେରରେ ଥିବା ଯୁବକ ଗାଁକୁ ଆସି  ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା । ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞନ ରାୟ ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲେ। ହେଲେ ଗତକାଲି ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲେ । ଆଜି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଂଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୁକ୍ତିରଂଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ଯାଗରୁ ଲ୍ଯାପଟପ ଓ ଡାଇରୀ ଭଳି ଅନେକ ସାମଗ୍ରୀ ପାଇ ତଦନ୍ତ ଚଳାଇଛି । ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଦୀର୍ଘ ଦିନ ଧରି ଫ୍ରିଜରେ ରଖିବା ଘଟଣାରେ ମୁକ୍ତିରଂଜନକୁ ସନ୍ଦେହ ଘେରକୁ ଆସିଥିଲେ । ଘଟଣା ପରଠାରୁ ସେ ଫେରାର ହୋଇ ବୁଲୁଥିଲେ।