ନିୟନ୍ତ୍ରଣ ବାହାରେ ଦରଦାମ, ରାଜ୍ୟ ସରକାରଙ୍କ ପଦକ୍ଷେପ ଶୂନ

ଭୁବନେଶ୍ବର: ନିୟନ୍ତ୍ରଣକୁ ଆସୁନି ଅତ୍ୟାବଶ୍ୟକ ସାମଗ୍ରୀର ଦର । କମିବ କ’ଣ ବରଂ ହୁହୁ ହୋଇ ବଢ଼ିଚାଲିଛି । ଲୋକଙ୍କୁ କନ୍ଦାଇଲାଣି ପିଆଜ ଓ ରସୁଣ ଦର । ପିଆଜ କେଜି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରସୁଣ କିଲୋ ହେଲାଣି ୪୦୦ ଟଙ୍କାରୁ ଅଧିକ । ଏହାସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେଲାଣି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଭଣ୍ଡାରରୁ ଅଳ୍ପ କିଛି ଲୋକଙ୍କୁ ପିଆଜ ବିକିବାକୁ ନିଷ୍ପତ୍ତି ନେଇଥିବା ବେଳେ, ଓଡିଶା ସରକାରଙ୍କ ପଦକ୍ଷେପ କିନ୍ତୁ ଶୂନ । ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ବ୍ୟବସାୟୀ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଡ଼ି ଚାଲିଛି ଦିନ ପରେ ଦିନ, ମାସ ପରେ ମାସ । ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଦରଦାମ ଆକାଶଛୁଆଁ, କାନ୍ଦୁଛନ୍ତି ସାଧାରଣ ପରିବାର। କିଣି ହେଉନି ତେଜରାତିଠୁ ଆରମ୍ଭ କରି ପନିପରିବା । ଭାଉ ଦେଖାଇଲେଣି ପିଆଜ ରସୁଣ । କ’ଣ କିଣିବେ, କ’ଣ ଖାଇବେ, କେମିତି ଚାଲିବ ପରିବାର । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢୁଥିବା ବେଳେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ସଂଘ । କେମିତି ସ୍ବାଭାବିକ୍ ହେବ ସ୍ଥିତି, ସେ ନେଇ କାହାର ଚିନ୍ତା ନାହିଁ । ସମ୍ପୂର୍ଣ୍ଣ କର୍ପୋରେଟ ହାଉସ ଅଧୀନରେ ବଜାର ଦର । ପିଆଜର ସର୍ବନିମ୍ନ ଏକ୍ସପୋର୍ଟ ମୂଲ୍ୟ ସରକାର ଉଠାଇବା ପରେ କର୍ପୋରେଟ ହାଉସ ଲାଭବାନ ହେଉଛନ୍ତି । ପିଆଜ ବିଦେଶକୁ ରପ୍ତାନୀ ହେଉଥିବାରୁ ବଢ଼ି ଚାଲିଛି ଦାମ । ରସୁଣର ସ୍ଥିତି ମଧ୍ୟ ଠିକ୍ ସେୟା । ଅଳ୍ପ ମୂଲ୍ୟରେ ରସୁଣ କିଣି ପାଞ୍ଚ ଗୁଣ ମୂଲ୍ୟରେ ବିକୁଛନ୍ତି କର୍ପୋରେଟ ହାଉସ । କିନ୍ତୁ ଏ ଦିଗରେ କିଛି ପଦକ୍ଷେପ ନେଉନାହାନ୍ତି ସରକାର । ଅନ୍ୟପଟେ ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ତେଜିବାରେ ଲାଗିଲାଣି ଅସନ୍ତୋଷ । ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବା ସହ ସମାଧାନର ବାଟ ବାହାର କରିବାକୁ ଦାବି କରିଛି ବ୍ୟବସାୟୀ ସଂଘ ।

ସେପଟେ ଦରଦାମ ବୃଦ୍ଧିକୁ ନେଇ ଛାଟିପିଟି ହେଲେଣି ଖାଉଟି । ହେଲେ ନିଦା ବିଷ୍ଣୁପରି ବସିଛନ୍ତି ସରକାର । ଲଗାତର ଦାବି ସତ୍ତ୍ବେ ବି ସରକାରଙ୍କ ଉପରେ ପଡୁନି ପ୍ରଭାବ । କେବଳ କର୍ପୋରେଟ ହାଉସର ସ୍ବାର୍ଥ ପାଇଁ ସାଧାରଣ ଲୋକେ ବଳି ପଡୁଥିବା ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ । ଯଦି ଦରଦାମ ହ୍ରାସ ନପାଏ, ତେବେ ଜନ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସୁରକ୍ଷା ମଞ୍ଚ । ଅନ୍ୟପଟେ ଯୁବ ବର୍ଗ ମଧ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି ନିଜର ଅସନ୍ତୋଷ ।

ଖାଇବା ତେଲରେ ୨୦ ପ୍ରତିଶତ ଆମଦାନୀ ଶୁଳ୍କ ବସିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବ୍ୟବସାୟୀ ସଂଘ । ଖାଇବା ତେଲର ୪୫ ଦିନର ଷ୍ଟକ ପୂର୍ବ ରେଟରେ ଥିଲେ ମଧ୍ୟ ଏହାକୁ ୨୦ ପ୍ରତିଶତ ଅଧିକ ରେଟରେ ବିକ୍ରି କରାଯାଉଛି । ଯାହା ଉପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।