ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ

ଗଜପତି: ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ । ବିଜେଡି ସରକାର ସମୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଚାଷୀଙ୍କ ମନୋବଳ ସୁଦୃଢ କରିଥିଲା । ଡିଆରସିଏସ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ସହକାରୀ ନିବନ୍ଧକଙ୍କ ଦାୟିତ୍ୱରେ ପରିଚାଳିତ ହୋଇଆସୁଛି । ଏହାର ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛନ୍ତି ଚାଷୀ ସଂଗଠନ ଓ ସ୍ଥାନୀୟ ବୁଦ୍ଧିଜୀବୀ ।

କୃଷି ବିକାଶ କ୍ଷେତ୍ରରେ ସମବାୟ ସମିତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ମାଧ୍ୟମରେ ସରକାରଙ୍କ ସହାୟତା ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚିଥାଏ । ଦାର୍ଘ ଦିନର ଦାବି ପରେ ବିଜେଡି ସରକାର ସମୟରେ ଗଜପତିରେ ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ସରକାର ବଦଳି ଯାଇଛି । ତେଣୁ କାର୍ଯ୍ୟାଳୟ କେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ନେଇ ଚିନ୍ତାରେ ଚାଷୀ ।

ଦୀର୍ଘ ବର୍ଷ ଧରି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ବାର୍ଷିକ ହିସାବ ତନଖି ହୋଇ ପାରୁ ନଥିଲା । ତେଣୁ ଉପ ନିବନ୍ଧକ କାର୍ଯ୍ୟାଳୟ ସହ ସମାନ୍ତରାଳରେ ସମବାୟ ସମିତିର ସହକାରୀ ଅଡିଟର ଜେନେରାଲ କାର୍ଯ୍ୟାଳୟ ମଧ୍ୟ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଗୋଟିଏ ପରିସରରେ ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ, ସହକାରୀ ନିବନ୍ଧକ ଓ ସହକାରୀ ଅଡିଟର ଜେନେରାଲ କାର୍ଯ୍ୟାଳୟ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ଚାଷୀଭାଇଙ୍କ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ଆଶା କରାଯାଇଛି ।