ଅସୁରକ୍ଷିତ ସ୍କୁଲ: ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ରାଉରକେଲା: ନାରୀ ନିର୍ଯାତନାକୁ ନେଇ ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଖବର ରାଜ୍ୟରେ କଳଙ୍କ ଲଗାଉଛନ୍ତି । ଘର ହେଉ କି ବାହାର, ଥାନା ହେଉ କି ସ୍କୁଲ ସବୁଠି ବୁଲୁଛନ୍ତି ଯୌନ ପିପାପୁ । ସରକାର ବଦଳିବା ପରେ ବଢ଼ି ଯାଇଛି ନାରୀ ନିର୍ଯାତନାର ହାର । ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ସଭ୍ୟ ସମାଜକୁ ଦୋହଲାଇ ଦେବା ପରି ଘଟଣା । ଏବେ ରାଉରକେଲାରେ ଘଟିଛି ସେମିତି ଘଟଣା । ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରୁ ଏମିତି ଅଭିଯୋଗ ଆସିଛି । ଜଣେ ଶିକ୍ଷକ ଛାତ୍ରୀଙ୍କୁ  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲରେ ଆନ୍ଦୋଳନ କରିବା ସହ ଅଭିଯୁକ୍ତ ଶିକ୍ଷକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଖବର ପାଇବା ପରେ ବରିଷ୍ଠ ଅଧିକାରୀଙ୍କ ସହ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପହଞ୍ଚି ତନାଘନା ଚଳାଇଛନ୍ତି । ସ୍କୁଲ ପରିସରରେ ଉତ୍ତେଜନା ଲଶଗି ରହିଥିବାରୁ ଫୋର୍ସ ମୁତୟନ ହୋଇଛନ୍ତି । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଶିକ୍ଷକ ଜଣକ ଗତକାଲି ଠାରୁ ସ୍କୁଲ ଆସୁ ନଥିବା ବେଳେ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।