JSW ଫେରିଯିବା ଓଡ଼ିଶା ଶିଳ୍ପାୟନ ପାଇଁ ଧକ୍କା, କ୍ଷୁଣ୍ଣ ହେବ ଓଡ଼ିଶାର ମର୍ଯ୍ୟାଦା: ବିରୋଧୀ

ଭୁବନେଶ୍ବର: ଜେଏସଡବ୍ଲୁ ଓଡ଼ିଶା ଛାଡି ମହାରାଷ୍ଟ୍ର ଚାଲିଯିବାକୁ ଘଟଣାକୁ ନେଇ ଉଷ୍ଣ ହୋଇଛି ରାଜ୍ୟ ରାଜନୀତି । ବର୍ତ୍ତମାନର ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ କମ୍ପାନୀମାନେ ପଛଘୁଞ୍ଚା ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ସରକାର ବଦଳିବା ପରେ ରାଜ୍ୟରେ ବିଗୁଡ଼ୁ ଥିବା ଆଇନଶୃଙ୍ଖଳା ସ୍ଥିତି ଯୋଗୁଁ କମ୍ପାନୀମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ଅଭିଯୋଗ କରିଛନ୍ତି । ଉଭୟ ବିଜେଡି ଓ କଂଗ୍ରେସ ଜେଏସଡବ୍ଲୁ ଫେରିଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ରାଜ୍ୟ ଶିଳ୍ପାୟନକୁ ଧକ୍କା ବୋଲି କହିବା ସହ ଆମ ପାଇଁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ନାୟକ । ଆମ ରାଜ୍ୟରୁ ଏକ ଆନ୍ତର୍ଜାତିକ ସ୍ତରର ଶିଳ୍ପ ବାହାର ରାଜ୍ୟକୁ ଚାଲିଯିବା ଦୁର୍ଭାଗ୍ୟଜନକ, ଓଡ଼ିଶାବାସୀ ଏହାର ବିଚାର କରିବେ ବୋଲି ସେ କହିଛନ୍ତି । ସେହିପରି ଏହି ଘଟଣାକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ଶିଳ୍ପ ଚାଲି ଗଲେ ଓଡ଼ିଶାର ଅନେକ କ୍ଷତି ହେବ । ବିଜେଡି ଅମଳରେ ଶିଳ୍ପ ଆସିଥିଲା । ଏଥିପ୍ରତି ସରକାର ଯତ୍ନବାନ ହେବା ଦରକାର ।

ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜେଡି ଶାସନରେ ଥିବା ବେଳେ ଶିଳ୍ପ ପ୍ରତିଷ୍ଠା ନେଇ ବାତାବରଣ ସୃଷ୍ଟି ହୋଇଥିଲା । ସରକାରଙ୍କ ପ୍ରତି ଆସ୍ଥା, ସରକାରଙ୍କ ସହଯୋଗ ଓ ସ୍ଥାନୀୟ ପ୍ରଶାସନର ସ୍ଥିରତା ଥିଲେ କମ୍ପାନୀ ପୁଞ୍ଜିନିବେଶ କରନ୍ତି । ନୂଆ ସରକାରଙ୍କ ଆଭିମୁଖ୍ୟ ଏ ନେଇ ସ୍ପଷ୍ଟ ନାହିଁ । ଅନେକ ଶିଳ୍ପ ଓଡ଼ିଶାକୁ ଆସିଥିଲେ ଆଗକୁ ପଛଘୁଞ୍ଚା ଦେବେ ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଶିଳ୍ପ ଫେରିଯିବା ନେଇ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କମ୍ପାନୀ ଏଠାରେ ଆସି ପ୍ରକଳ୍ପ କରିବାକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ସେ କହିଛନ୍ତି ।

ସେପଟେ ଜେଏସଡବ୍ଲୁ ମହାରାଷ୍ଟକୁ ଚାଲିଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ଜେଏସଡବ୍ଲ୍ଯୁ ସହ ଆଲୋଚନା ଚାଲିଛି । ନିର୍ଣ୍ଣୟ ଆସିଲେ ଜଣାପଡିବ ବୋଲି ସେ କହିଛନ୍ତି । ସେମାନେ ଓଡ଼ିଶା ଛାଡିବା ନେଇ ଫାଇନାଲ ହୋଇନି । ନିବେଶକମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି । ବିଭିନ୍ନ କାରଣ ପାଇଁ ବିଳମ୍ବ ହୁଏ । ଜେଏସଡବ୍ଲ୍ଯୁ ଇଭି ଆରମ୍ଭରେ ମଧ୍ଯ ସେହିପରି ବିଳମ୍ବ ହୋଇଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।