ଅଭିଯୋଗ ପ୍ରକୋଷ୍ଠକୁ ଆସି ମହିଳା ହଟହଟା, ମିଳିଲାନି ମୁଖ୍ୟମନ୍ତ୍ରୀ ଦେଖା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବାକୁ ଆସି ମହିଳା ହଟହଟା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ନପାଇ ନିରାଶ । ଏମିତି ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଳା । ମହିଳା ଆଣିଥିବା ଅଭିଯୋଗ ଗୃହ ବିଭାଗ ଅଧୀନର ଥିଲା । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ବି ଉପସ୍ଥିତ ଥିଲେ । ହେଲେ ଅଭିଯୋଗକାରୀଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ନଶୁଣି, ଶୁଣିଥିଲେ ବିଭାଗୀୟ ଅଧିକାରୀ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ଜଣଙ୍କ ।

ଅଭିଯୋଗ ଅନୁସାରେ, ସ୍ବାମୀଙ୍କ ବିୟୋଗ ପରେ ଥଇଥାନ ଯୋଜନାରେ ଚାକିରି ପାଇଁ ୪ ବର୍ଷ ଧରି ଦୌଡୁଛନ୍ତି କଟକର ସସ୍ମିତା ସାବତ । କଟକରେ ଅଗ୍ନିଶମ ଅଧିକାରୀ ଥିବା ତାଙ୍କ ସ୍ବାମୀଙ୍କର ଡ୍ୟୁଟି ସମୟରେ ବିୟୋଗ ଘଟିଥିଲା । ଅନୁକମ୍ପା ମୂଳକ ଚାକିରି ପାଇଁ ଗୁହାରୀ କରୁଥିଲେ ବି କେହି ଶୁଣୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇବାକୁ ଆସିଥିଲେ । ହେଲେ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସହ ଭେଟିବାର ସୁଯୋଗ ମିଳିଲା ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘଦିନ ପରେ ପୁଣି ଖୋଲିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ହଜାରେରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ଅଧିକାରୀ । ଦିବ୍ୟାଙ୍ଗ, ଅବହେଳିତ, ପଛୁଆ ବର୍ଗ ଓ ମହିଳାଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲକ୍ଷ୍ୟରେ ସରକାର କାମ କରୁଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ଆଗକୁ ଜିଲ୍ଲାସ୍ତରରେ ବି ଅଭିଯୋଗ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଆଜି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।