ଭରତପୁର ଥାନା ନିର୍ଯାତନା: ୭ ଦିନ ପରେ ବି ଗିରଫ ହେଲେନି ନିଲମ୍ବିତ ପୋଲିସ କର୍ମଚାରୀ

ଭୁବନେଶ୍ବର: ଭରତପୁର ମଡେଲ ପୋଲିସ ଥାନା ଲଜ୍ଜା ଘଟଣାକୁ ବିତିଲା ୭ ଦିନ । ହେଲେ ଏଯାଏଁ ଗିରଫ ହୋଇନାହାନ୍ତି ନିଲମ୍ବିତ ପୋଲିସ କର୍ମୀ । ମାମଲାରେ କ୍ଯାପଟେନ ଗୁରବଂଶ ସିଂହଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ନିଲମ୍ବିତ ପୋଲିସ କର୍ମୀଙ୍କୁ ଡାକି ମଧ୍ୟ ଖୋଳତାଡ଼ କରିଛି ତଦନ୍ତକାରୀ ଟିମ । ପଚରାଉଚରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ପୀଡ଼ିତାଙ୍କ ଲାଏ ଡିଟେକସନ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ । ତେବେ ଏ ନେଇ ସ୍ପଷ୍ଟ କରିନି ତଦନ୍ତକାରୀ ସଂସ୍ଥା । ସେପଟେ ଘଟଣାର ନିଲମ୍ବିତ ପୋଲିସ କର୍ମୀଙ୍କୁ ନିର୍ଦ୍ଦୋଷ କହି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ସେମାନଙ୍କ ପରିବାର ଲୋକେ ।

କ୍ୟାପଟେନ ଗୁରୁବଂଶଙ୍କ ବାନ୍ଧବୀ କିଭଳି ଆହତ ହେଲେ ?

ଥାନାରେ ତାଙ୍କୁ କିଭଳି ବ୍ୟବହାର କରାଗଲା ?

ଆଇଆଇସି ଘଟଣାସ୍ଥଳରେ କିଭଳି ବ୍ୟବହାର କରିଥିଲେ ?

ପଥରଗାଡ଼ିଆ ରାସ୍ତାରେ ପ୍ରକୃତରେ କଣ’ ଘଟିଥିଲା ?

ଘଟଣାରେ ପୀଡ଼ିତାଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ତଦନ୍ତକାରୀ ଟିମ୍ ଶୀଘ୍ର ଦାଖଲ କରିପାରେ ଚୂଡାନ୍ତ ରିପୋର୍ଟ । ଅନ୍ୟପଟେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତାଙ୍କ ବାପା । କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ ନକଲେ ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ଲାଗି ସେ ଦାବି କରିବେ ବୋଲି କହିଛନ୍ତି । ଘଟଣାକୁ ନେଇ ଆସୁଥିବା ଭିଡିଓ କିଏ ଭାଇରାଲ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପକ୍ଷର ଭିଡିଓ ଛଡାଯାଉଥିବା ବେଳେ କ୍ଯାପଟେନ କିମ୍ବା ତାଙ୍କ ବାନ୍ଧବୀଙ୍କ ମୋବାଇଲ କୁଆଡ଼େ ଗଲା ? ସେଥିରେ ଥିବା ଭିଡିଓ କାହିଁକି ସାମ୍ନାକୁ ଆସୁନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ସେପଟେ ଭରତପୁର ଥାନା ମାମଲାରେ ନିଲମ୍ବିତ ପୋଲିସଙ୍କ ପରିବାର ଭୁବନେଶ୍ଵର ପୋଲିସ ସେବା ଭବନ ଆଗରେ ଧାରଣା ଦେବା ସହ ନ୍ୟାୟ ମାଗିଛନ୍ତି। ଅଯଥାରେ ପୋଲିସ କର୍ମଚାରୀଙ୍କୁ ନିଲମ୍ଵିତ କରାଯାଇଛି ବୋଲି ସେମାନେ କହିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ନିଲମ୍ବିତ  ପୋଲିସ କର୍ମୀଙ୍କ ପରିବାର ଲୋକେ ।