ମହିଳାଙ୍କୁ ଉଲଗ୍ନ କରି ମାଡ଼ ଘଟଣାକୁ ୪ ଦିନ ବିତିଲା, ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ବାଲେଶ୍ବର: ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଲେ ଆଉ ଜଣେ ମହିଳା । ଘଟଣାକୁ ୪ ଦିନ ହୋଇଗଲାଣି । ମହିଳା ମାଡ଼ ଖାଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ସହ ଭାଇରାଲ ହେଉଛି । ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ।

ଅଭିଯୋଗ ଅନୁସାରେ, ବାହାନଗା ବଜାରରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଥିଲେ । ପୀଡ଼ିତା ମହିଳା ସୋର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଗାଁର ଆଉ ଜଣେ ମହିଳା ୪ ଦିନ ପୂର୍ବେ ଉଲଗ୍ନ କରି ମାଡ଼ ମାରିଥିଲେ । ପୀଡ଼ିତା ମହିଳାଙ୍କର ତାଙ୍କ ସ୍ବାମୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସମ୍ପୃକ୍ତ ମହିଳା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତା ମହିଳା ସାଉଡ଼ ଫାଣ୍ଡିରେ ଅଭିଯୋଗ କରିବା ସହିତ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଯାହାର ପ୍ରତିବାଦରେ ପୀଡ଼ିତା ମହିଳା ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।