ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବିଜେପି ବିଧାୟକ ଜୟନାରାୟଣଙ୍କ ଅସମ୍ମାନ

ସମ୍ବଲପୁର: ଓଡ଼ିଶାର ରାଜ୍ଯ ସଙ୍ଗୀତକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଘୋର ଅସମ୍ମାନ । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ଆସନରୁ ଉଠିଲେନି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।

ଆଜି ସମ୍ବଲପୁର ମନ୍ଦଳିଆ ପଡିଆଠାରେ ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଏକ ସରକାରୀ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗ ଦେଇଥିଲେ । ସଭାମଞ୍ଚରେ ସମ୍ବଲପୁର ଜିଲ୍ଲାପାଳ, ଉତ୍ତରଞ୍ଚଳ ଆରଡିସି ଓ ସମ୍ବଲପୁର ମହାନଗର ନିଗମର କମିଶନର ବି ଥିଲେ । ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲେ । ଏହି ସମୟରେ ସମସ୍ତେ ଠିଆ ହୋଇ ରାଜ୍ଯ ରାଜ୍ଯ ସଙ୍ଗୀତକୁ ସମ୍ମାନ ଦେଇଥିଲେ । ହେଲେ ଏକା ଜୟନାରାୟଣ ମିଶ୍ର ସେମିତି ଚେୟାରରେ ବସି ରହିଥିଲେ ।

କେବଳ ସେତିକି ନୁହେଁ, ଘଟଣାକୁ ନେଇ ଜୟନାରାୟଣ ବେଖାତିର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ଆଗରୁ କେବେ ଠିଆ ହୋଇ ନଥିଲି କି ଆଜି ଠିଆ ହେଉନି । ଅର୍ଥାତ କେବେ ବି ଓଡିଶାର ରାଜ୍ଯ ସଙ୍ଗୀତକୁ ସମ୍ମାନ ଦେଉ ନାହାନ୍ତି ଜୟନାରାୟଣ ।

ବନ୍ଦେ ଉତ୍କଳ ଜନନୀ ହେଉଛି ପ୍ରତି ଓଡ଼ିଆଙ୍କ ଅସ୍ମିତା । ଏହା ଆମ ଗର୍ବ ଓ ଗୌରବ । ମାତ୍ର ବିଜେପିର ଏହି ବରିଷ୍ଠ ବିଧାୟକ ଏହାକୁ ଅସମ୍ମାନ କରିବା ଓଡ଼ିଆ ଅସ୍ମିତାକୁ ଆଘାତ ପହଞ୍ଚାଇଛି । ଅସ୍ମିତା ନାଁରେ ଓଡ଼ିଶାରେ ସରକାର କରିଥିବା ବିଜେପିର ପ୍ରକୃତ ଅସ୍ମିତା କ’ଣ ଏମିତି କି ବୋଲି ପ୍ରଶ୍ନ ଉଠିଛି ।