ଭରତପୁର ମାମଲାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅଙ୍କ ଉଦବେଗ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

1 min read

ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି । ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆପଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଆପଣଙ୍କ ଉପରେ ଅନେକ ଅଶା ଭରସା ରହିଛି । ଭୁବନେଶ୍ବରର ଭରତପୁର ଥାନାରେ ଜଣେ ଝିଅ ପ୍ରତି ପୋଲିସ ଦ୍ବାରା ହୋଇଥିବା ବର୍ବରୋଚିତ ଅଶାଳୀନ ବ୍ୟବହାର ବାବଦରେ ସେ ଝିଅ କହୁଥିବା ସୋସିଆଲ ମିଡିଆରୁ ଶୁଣି ମୁଁ ଖୁବ ଦୁଃଖିତ । ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ବରେ ଥିବା ପୋଲିସର ବ୍ୟବହାର ଯଦି ମହିଳାଙ୍କ କ୍ଷେତ୍ରରେ ଏପରି ହେବ, ତେବେ ମହିଳାମାନେ ଏହି ପୁରୁଷ କୈନ୍ଦ୍ରିକ ସମାଜରେ କିପରି ବଞ୍ଚିବେ ?

ଅନେକ ବର୍ଷ ପୂର୍ବେ କୃଷ୍ଣାଙ୍କ ବାପା ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କୁ ପାଖରୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିଥିବାରୁ ମୋହନ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ଆଶା କରିଥିବା କହିଛନ୍ତି କୃଷ୍ଣା । ସେ କହିଛନ୍ତି, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହାତ୍ମା ଗାନ୍ଧୀ କହିଥିଲେ ‘ରାତିରେ ଝିଅଟିଏ ନିର୍ବିଘ୍ନରେ ଯେଉଁଦିନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ସେହିଦିନ ଯାଇ ବୁଝିବାକୁ ହେବ ଏଦେଶକୁ ସ୍ୱାଧୀନତା ମିଳିଛି ।’ ରାଜଧାନୀର ଛାତି ଉପରେ ଯେଉଁ ହୃଦୟ ବିଦାରକ ଘଟଣା ଝିଅଟି ସହ ଘଟିଲା, ସେଥିରେ କ’ଣ ନିଜକୁ ସ୍ବାଧୀନ ବୋଲି କହି ପାରିବା ? ଆମ ଦେଶ ପାଇଁ ତିଳ ତିଳ ଜଳି ଆମକୁ ବ୍ରିଟିଶ କବଳରୁ ମୁକ୍ତି କରି ଆମରି ହାତରେ ଆମ ଶାସନ ଡୋରି ଟେକି ଦେଇଥିବା ମହାତ୍ମା ଗାନ୍ଧିଙ୍କ ଆତ୍ମା ଏ ଘଟଣା ଦେଖି ଉପରେ ରହି କାନ୍ଦୁଥୁବ ନିଶ୍ଚେ ।

ବାରାଣସୀଠାରେ ଉତ୍ତରପ୍ରଦେଶ ସରକାର ଓ ରେଳ ବିଭାଗ ପକ୍ଷରୁ ଅନୈତିକ ଭାବରେ ଗାନ୍ଧୀ-ବିନୋବା-ଜୟପ୍ରକାଶଙ୍କ ସର୍ବୋଦୟ ସାଧନା କେନ୍ଦ୍ର ଉପରେ ବୁଲଡୋଜର ଚଲା ଯାଇଥିବା ଘଟଣାକୁ ବିରୋଧ କରି ସତ୍ୟାଗ୍ରହରେ ବସିଥିଲେ । ଏହି ସମୟରେ  ଓଡ଼ିଶାର ଏହି ମର୍ମନ୍ତୁଦ ଘଟଣା ମୋତେ ଥରାଇ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୃଷ୍ଣା ।

ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମକକ୍ଷ ଭାବରେ ସମ୍ମାନ ଦେଉଥିବା ଆଦିବାସୀ ସମାଜର ଜଣେ ପୁଅ ହିସାବରେ ଏହି ଦୁଃଖଦ ଘଟଣାରେ ସମସ୍ତଙ୍କ ପ୍ରତି ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଥିବା କହିଛନ୍ତି କୃଷ୍ଣା ।