ଭରତପୁର ମାମଲା: କିଏ ଛାଡୁଛି ବ୍ୟାକ୍ ଟୁ ବ୍ୟାକ୍ ଭିଡିଓ, ଉଦ୍ଦେଶ୍ୟ କ’ଣ ?

1 min read

ଭୁବନେଶ୍ବର: ପ୍ରଥମେ ରାସ୍ତା ଉପରେ ଗଣ୍ଡଗୋଳର ଭିଡିଓ ଆସିଲା । ତା’ପରେ ବାରରେ ନାଚଗୀତ ଓ ଖାଇବା ପିଇବା ବିଲ । ପୁଣି ପରେ ପରେ ଆସିଲା ଥାନା ଭିତରର କିଛି ଭିଡିଓ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଗତକାଲିଠୁ ସାମ୍ନାକୁ ଆସୁଛି ସିରିଜ ଭିଡିଓ । ତେବେ କିଏ ଓ କାହିଁକି ଏମିତି ଭିଡିଓ ଭାଇରାଲ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏପଟେ ରାସ୍ତାରେ ଅସଦାଚରଣ ଅଭିଯୋଗ ଘଟଣାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପବରେ ଖିଆପିଆ ନାଚଗୀତ । ରାସ୍ତାରେ ବଚସା ଆଉ ଠେଲାପେଲା । ଥାନା ଭିତରେ କଥା କଟାକଟି । ହେଲେ କୋଉଁଠୁ ଆସୁଛି ଏ ଭିଡିଓ । କିଏ କରୁଛି ଭାଇରାଲ ? ଭାଇରାଲ କରିବା ପଛର ଉଦ୍ଦେଶ୍ଯ କ’ଣ ? ଗତକାଲିଠୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏମିତି ମାଳମାଳ ଭିଡିଓ । ମେଜର ଓ ତାଙ୍କ ବାନ୍ଧବୀ ଯେଉଁ ହୋଟେଲରେ ଖିଆପିଆ କରୁଥିଲେ ସେଠାର ସିସିଟିଭି ଫୁଟେଜଠୁ ଆରମ୍ଭ କରି ଖାଇବା ବିଲ୍ ପର୍ଯ୍ଯନ୍ତ ସବୁ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ଯେଉଁମାନଙ୍କ ସହ ବଚସା ଓ ଠେଲାପେଲା ହୋଇଥିଲା ଓ ଥାନା ଭିତରର କିଛି ଭିଡିଓ ବି ସାମ୍ନାକୁ ଆସିଛି । ହେଲେ ଏସବୁ ନା ମେଜର କରିଛନ୍ତି ନା ତାଙ୍କ ବାନ୍ଧବୀ । ଏଥିରୁ ସ୍ପଷ୍ଟ ହେଉଛି ଅପରପକ୍ଷଙ୍କ ମୋବାଇଲରୁ ହିଁ ଆସିଛି । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଫୋନ କୁଆଡ଼େ ଗଲା ? ସେଥିରେ ରେକର୍ଡ ହୋଇଥିବା ଭିଡିଓରେ କ’ଣ ଅଛି ? ଏଣୁ ପ୍ରଶ୍ନ ଉଠୁଛି- ଗୋଟିଏ ପକ୍ଷର ଭିଡିଓ ଛାଡ଼ି ପୀଡ଼ିତାଙ୍କୁ ବଦନାମ କରିବାକୁ ହେଉଛି କି ଷଡଯନ୍ତ୍ର ? କାହାର ଏମିତି ମନ୍ଦ ଉଦ୍ଦେଶ୍ୟ ? ଏସବୁ ଦେଖିଲେ ଲାଗୁଛି ଯେ ଭରତପୁର ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ସିଧା ମୁହାଁମୁହିଁ ହେଲେଣି । ଘଟଣାର ତଦନ୍ତ ଦାବି ହୋଇଥିବାବେଳେ ବାନ୍ଧବୀଙ୍କ ବାପା କହିଛନ୍ତି, ଲୋକଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରାଯାଉଛି । ଝିଅର ଦାନ୍ତ ଭାଙ୍ଗିଛି, ଦେହସାରା ମାଡ଼ ହୋଇଛି । ସେ କିପରି ପୋଲିସକୁ ପିଟିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବାପା ।

ଏପଟେ ମେଜର ଆଉ ବାନ୍ଧବୀଙ୍କ ସହ ରାସ୍ତାରେ ଅସଦାଚରଣ ଓ ଗଣ୍ଡଗୋଳ ଅଭିଯୋଗ ଘଟଣାରେ ୭ ରୋଡ୍ ରୋମିଓଙ୍କୁ ବାନ୍ଧିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ଇଞ୍ଜିନିୟରିଂ ଛାତ୍ର । ତଥ୍ୟ ପ୍ରମାଣ ଆଧାରରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ତେବେ ସେମାନଙ୍କୁ ଫସାଇ ଦିଆଯାଇଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି ଗିରଫ ଅଭିଯୁକ୍ତ । ଏପଟେ ଥାନାରେ ନିର୍ଯାତନା ଅଭିଯୋଗର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସହ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ନିଲମ୍ବିତ ପୋଲିସ ଏସଆଇ ବୈଶାଳିନୀ ପଣ୍ଡାଙ୍କ ପରିବାର ପୋଲିସ କମିଶନରଙ୍କୁ ସକ୍ଷାତ କରି ଝିଅ ନିର୍ଦ୍ଦୋଶ ବୋଲି ଦର୍ଶାଇଛନ୍ତି ।

ଦିନକୁ ଦିନ ଗୋଳିଆ ହେଉଛି ଭରତପୁର ଝମେଲା । ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।