ଏନଏଲସି କୋଇଲା ଖଣିରେ ଜନ ଆନ୍ଦୋଳନ: ଖଣି ଭିତରକୁ ଧସେଇ ପଶିଲେ ଲୋକେ, ପୋଲିସ ସହ ଠେଲାପେଲା

1 min read

ରେଙ୍ଗାଲି: ସମ୍ବଲପୁର ରେଙ୍ଗାଲିରେ ଥିବା ଏନଏଲସି କୋଇଲା ଖଣିରେ ଜନ ଆନ୍ଦୋଳନ । କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ କୋଇଲା ଖଣି ଭିତରକୁ ଧସେଇ ପଶିଲେ ଅଞ୍ଚଳବାସୀ । ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ଯରେ ଠେଲାପେଲା । ବିସ୍ଥାପନ ପରେ ବି କୌଣସି ସୁବିଧା କମ୍ପାନୀ ଦେଉ ନଥିବା ଅଭିଯୋଗ କରି ଦେଖା ଦେଇଛି ବିରାଟ ଜନ ଆନ୍ଦୋଳନ ।

ଅଭିଯୋଗ ଅନୁସାରେ, ସମ୍ବଲପୁର ରେଙ୍ଗାଲି ଖିଣ୍ଡାକୁ ଏନଏଲସି କମ୍ପାନୀ ଆସିବା ପରେ ଆରମ୍ଭ ହୋଇଥିଲା କୋଇଲା ଉତ୍ତୋଳନ । ଖଣି ପାଇଁ ଜଙ୍ଗଲ ସଫା ହେଲା, ଅନେକ ଲୋକ ଘର ଦ୍ବାର ହରାଇଲେ । ହେଲେ କମ୍ପାନୀ ଦେଇଥିବା ପ୍ରତଶ୍ରୁତି ପୂରାଣ କରି ନଥିବାରୁ ଆରମ୍ଭ ହୋଇଛି ଜନ ଆନ୍ଦୋଳନ । କେନ୍ଦ୍ରୀୟ ସଂସ୍ଥା ଏନଏଲସି ହଜାର ହଜାର ମାଟ୍ରିକ ଟନ କୋଇଲା ନେବା ପରେ ମଧ୍ୟ ଅଞ୍ଚଳବାସୀଙ୍କ ଦୁଃଖ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଖିଣ୍ଡା ଅଞ୍ଚଳର ୪ଟି ପଞ୍ଚାୟତବାସୀ କ୍ଷତିପୂରଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅଞ୍ଚଳବାସୀଙ୍କୁ ସମର୍ଥନ କରିଛନ୍ତି ରେଙ୍ଗାଲି ବିଜେଡି ବିଧାୟକ ସୁଦର୍ଶନ ହରିପାଲ ଏବଂ ପୂର୍ବତନ ବିଧାୟକl ଦୀପାଳି ଦାସ । ସମସ୍ତ ବିସ୍ଥାପିତ ପରିବାରକୁ ଚାକିରି, କ୍ଷତିପୂରଣ ସହ ଅଞ୍ଚଳରେ ସିଏସଆଣ ମାଧ୍ୟମରେ ଲୋକଙ୍କ ପାଇଁ ସେବା ଯୋଗାଇ ଦେବାକୁ ଦାବି ହୋଇଛି । ହେଲେ ୫ ବର୍ଷ ହୋଇଗଲା କମ୍ପାନୀ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଦାବି ପୂରଣ ନହେବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।