ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦେଲେ ଦମ୍ପତି

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବା ପରେ ସ୍ବାମୀ ବି ଆପଣାଇଲେ ସମାନ ରାସ୍ତା । ଘଟଣା ଘଟିଛି, ଆନନ୍ଦପୁର ଥାନା ସଢ଼ଙ୍ଗୀ ଗାଁରେ । ବିଷ ପିଇ ଉଭୟ ସ୍ବାମୀ, ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ମୋହନ ହୋ ଏବଂ ତାଙ୍କ ପତ୍ନୀ ରଜନୀ ।

ମିଳିଥିବା ଖବର ଅନୁସାରେ, ଗତ ଗୁରୁବାର ଗାଁରେ ବିଶ୍ବକର୍ମା ପୂଜା ଭସାଣ  ହେଉଥିଲା । ବାଉଁଶଗଡ ଗାଁରେ ବାପ ଘରେ ରହୁଥିବା ସ୍ତ୍ରୀ ରଜନୀ ନିକଟକୁ ଯାଇଥିଲେ ମୋହନ । ସେଠାରେ ପହଞ୍ଚିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ରଜନୀ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ତ୍ରୀର ମୃତ୍ଯୁ ଖବର ସହି ନପାରି ମୋହନ ମଧ୍ୟ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।