ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମାର୍ଲେନା ସିଂ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସିଂ । ଦିଲ୍ଲୀ ରାଜନିଓ୍ବାସରେ ଆତିଶୀ ଶପଥ ନେଇଛନ୍ତି । ତାଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ତାଙ୍କ ପୂର୍ବରୁ ସୁଷମା ଓ୍ବରାଜ ଏବଂ ସିଲା ଦିକ୍ଷିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେବଳ ସେତିକି ନୁହେଁ, ଦିଲ୍ଲୀର ସବୁଠାରୁ କମ ବୟସ ମୁଖ୍ୟମନ୍ତ୍ରୀ ଭେବାର ସେ ଗୌରବ ଅର୍ଜନ କରିଛନ୍ତି ।

ଆତିଶୀ ଶପଥ ନେବା ପରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିରୁ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଆପ ଗଠନ ପରଠାରୁ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ସେହିପରି ଦେଶ ଆପର ତୃତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଆପ୍ ନେତା ଭଗଓ୍ବନ୍ତ ମନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆତିଶୀଙ୍କ ସହ ୫ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ସୌରଭ ଭରଦ୍ବାଜ, ଗୋପାଳ ରାୟ ଏବଂ କୈଳାସ ଗେହଲଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲେ ବି ସିବିଆଇ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ନିଜ ଗିରଫଦାରୀ ପ୍ରତିବାଦରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ସିବିଆଇକୁ ଭର୍ସନା କରିବା ସହ କୋର୍ଟଙ୍କ ଅନୁମତି ନନେଇ କାହିଁକି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ବୋଲି ପ୍ରଶ୍ନ କରିଥିଲେ । ଏହାସହ କେଜ୍ରିଓ୍ବାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ।

ଜେଲରୁ ଫେରିବା ପରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳରେ ସ୍ଥିର ହୋଇଥିଲା । ଅତିଶୀଙ୍କ ନାଁ ଘୋଷଣା ପରେ ସେ କେଜ୍ରିଓ୍ବାଲଙ୍କୁ କୃତଜ୍ଞତା ଜଣାଇଥିଲେ । ଜଣେ ବିଧାୟିକା, ମନ୍ତ୍ରୀ ଭାବେ ସୁଯୋଗ ଦେବା ଓ ମୁଖ୍ୟମନ୍ତ୍ରୀ ହୋଇ ଦିଲ୍ଲୀବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଥିଲେ ।