ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଆତଙ୍କୀ, ରାଜ୍ଯରେ ସିକ୍ଯୁରିଟି ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପ୍ରବେଶ କରିଛନ୍ତି ମିଆଁମାରର ୯୦୦ରୁ ଅଧିକ କୁକୀ ଆତଙ୍କବାଦୀ। ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ମଣିପୁରରେ ଜାରି କରାଯାଇଛି ସିକ୍ଯୁରିଟି ଆଲର୍ଟ । ଏହି ଆତଙ୍କୀମାନେ ଡ୍ରୋନଭିତ୍ତିକ ବୋମା, ପ୍ରୋଜେକ୍ଟାଇଲ, ମିସାଇଲ ଆଦିର ବ୍ଯବହାର ନେଇ ତାଲିମ ପାଇଥିବାବେଳେ ଜଙ୍ଗଲ ଯୁଦ୍ଧରେ ନିପୁଣ ଥିବା ସୂଚନା ମିଳିଛି । ସେମାନେ ୩୦ ଜଣ ଲେଖାଏଁ ଗୋଷ୍ଠୀ ଗଠନ କରି ବର୍ତ୍ତମାନ ସୀମାରେ ଅବସ୍ଥାନ କରୁଛନ୍ତି ଏବଂ ମେଇତେଇଙ୍କ ଗାଁଗୁଡିକ ଉପରେ ଆକ୍ରମଣ କରିବେ ବୋଲି ସୂଚନା ମିଳିଛି । ଚଳିତ ମାସ ଶେଷବେଳକୁ ଏହି ଆକ୍ରମଣ ଘଟିବା ଆଶଙ୍କା କରାଯାଉଛି ।

ମଣିପୁରର ନିରାପତ୍ତା ପରାମର୍ଶଦାତୀ କୁଲଦୀପ ସିଂ କହିଛନ୍ତି ଗୁଇନ୍ଦା ରିପୋର୍ଟରେ ସତ୍ଯତା ରହିଥିବା ଆଶଙ୍କା କରାଯାଉଛି । ସେପଟେ ଡ୍ରୋନ ଲାଗି ରାଜ୍ଯରେ ଏସଓପି ଜାରି ହୋଇଛି । ବିନା ଅନୁମତିରେ କେହି ଡ୍ରୋନର ବ୍ଯବହାର କରିପାରିବେ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଇଛି । ଇମ୍ଫାଲ ଓ୍ବେଷ୍ଟର କେତେକ ସ୍ଥାନରୁ ଭାରତୀୟ ସେନା ବିପୁଳ ପରିମାଣର ଆଇଇଡି ଜବତ କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ବୋଙ୍ଗଜାଙ୍ଗ ଓ ଇଥାମରୁ ଏହି ବିସ୍ଫୋରକ ଜବତ ହୋଇଥିଲା । ରାଜ୍ଯରେ କୁକୀ ଓ ମେଇତେଇଙ୍କ ମଧ୍ୟର ସଂଘର୍ଷ ଘଟିବାର ୧୬ ମାସ ପରେ ବି ଉତ୍ତେଜନା ଥମିବାର ନାଁ ନେଉନାହିଁ ।