ସେପ୍ଟେମ୍ବର ୨୧ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ

1 min read

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧, ୨୨ ଏବଂ ୨୩ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି l ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ASI ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏ.ଏସ୍ ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଛି l

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହା କରାଯିବ। ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି l ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ। ଏହା ପୂର୍ବରୁ ଗତ ୧୮ ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆଇ NGRIର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ ।

ରାଡାର୍ ପେନିଟ୍ରେଟିଂ ସିସ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ତେଣୁ ଆସନ୍ତା ସେପଟେମ୍ବର ୨୪ ତାରିଖ ଠାରୁ ଦଶହରା ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର ଏହି ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିଜ ପତ୍ରରେ ଗୁରୁତ୍ବରୋପ କରିଥିଲେ।