୪୧ ଦିନ ପରେ ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର, ଶନିବାର ଠୁ କାର୍ଯ୍ଯରେ ଯୋଗ ଦେବେ

1 min read

କୋଲକାତା: ଶେଷରେ ଥମିଲେ ଡାକ୍ତର। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା। ୪୧ ଦିନ ପରେ ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର। ଶନିବାର ଠାରୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର। ଆଜି ଡାକ୍ତରମାନେ ସ୍ବାସ୍ଥ୍ଯ ଭବନରୁ ସିବିଆଇ ଅଫିସକୁ ରାଲି କରିବେ। ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ଡାକ୍ତରମାନେ ଦାବି କରିବେ। ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଥିଲେ ଡାକ୍ତର।

ରାଜ୍ଯ ସରକାରଙ୍କ ସହ କରାଯାଇଥିବା ଆଲୋଚନାର କେତେକ ପ୍ରମୁଖ ପ୍ରସ୍ତାବ ସମ୍ପର୍କିତ ଚିଠା ମୁଖ୍ଯ ଶାସନ ସଚିବ ମନୋଜ ପନ୍ତଙ୍କୁ ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି। ସେମାନଙ୍କ ପ୍ରସ୍ତାବ ସମ୍ପର୍କରେ ସରକାରଙ୍କ ମତାମତକୁ ଡାକ୍ତରମାନେ ଅପେକ୍ଷା କରିବେ ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ୮ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଥିଲା ଘଟଣା । ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖରେ ଗିରଫ କରିଥିଲା ସିବିଆଇ।

ଏହା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ। ସ୍ଥିତି ଏପରି ହୋଇଥିଲା ଯେ ଏହି ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହା ସହ ରାଜ୍ଯ ସରକାର ବି ଏକ ସ୍ବତନ୍ତ୍ର ମହିଳା ଓ ଶିଶୁ ବିଲ -୨୦୨୪ ପାସ କରିଥିଲେ। ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସଦସ୍ଯ ପଦରୁ ସସପେଣ୍ଡ କରିଥିଲା ଆଇଏମଏ। ଗତ ୧୪ ତାରିଖରେ ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ।