ତେଲ ଦାମ ବୃଦ୍ଧିକୁ ନେଇ ବ୍ୟାପକ ହେବାରେ ଲାଗିଛି କେନ୍ଦ୍ର ବିରୋଧରେ ଅସନ୍ତୋଷ

ଭୁବନେଶ୍ବର: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ଏବେ ଖାଇବା ତେଲରେ ଆମଦାନୀ ଶୁଳ୍କ ବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି । ଯେଉଁମାନେ ସରକାରଙ୍କୁ ଆସନରେ ବସାଇଛନ୍ତି ସେମାନଙ୍କ ଆର୍ଥିକ ସୁରକ୍ଷା ସରକାରଙ୍କ ପ୍ରମୁଖ ଦାୟିତ୍ୱ । ତୁରନ୍ତ ଦରଦାମ ବୃଦ୍ଧି ନିୟନ୍ତ୍ରଣ ଦିଗରେ ସରକାର କାର୍ଯ୍ୟ କରିବାକୁ ଦୃଢ଼ ଦାବି ରଖିଛି ଓଡିଶା ବ୍ୟବସାୟୀ ସଂଘ । ଏପରିକି ରାଜ୍ୟ ସରକାର ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ନିକଟରେ ଦରଦାମ ନିୟନ୍ତ୍ରଣ ପାଇଁ ଦାବି ରଖନ୍ତୁ ବୋଲି କୁହାଯାଇଛି । ସେପଟେ ସାଧାରଣ ଲୋକେ ଓ ସିଟିଜେନସ ଫୋରମ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଲୋକେ କେମିତି ବଞ୍ଚିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆଳୁ, ପନିପରିବା, ଡାଲି ଚାଉଳଠାରୁ ଆରମ୍ଭ କରି ଏବେ ଖାଇବା ତେଲ । ସମସ୍ତ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଉପରେ ଲଗାତର ଦରବୃଦ୍ଧି ଯୋଗୁଁ ଲୋକେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି । ସ୍ଥିତି ଏମିତି ହୋଇଛି, ଦରଦାମ ନିୟନ୍ତ୍ରଣ ପାଇଁ ଲୋକେ ଯାହାକୁ ଗୁହାରୀ କରୁଛନ୍ତି ସେହି ସରକାର ହିଁ ଶୁଳ୍କ ବଢ଼ାଇବା ବୋଝ ଉପରେ ନଳିତା ବିଡା ଭଳି ହୋଇଛି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଓଡିଶା ବ୍ୟବସାୟୀ ସଂଘ । ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଇଛି ସଂଘ । କୃଷି ଓ କୃଷକଙ୍କ ଉନ୍ନତିର ଦ୍ୱାହି ଦେଇ କେନ୍ଦ୍ର ସରକାର ଶୁଳ୍କ ବଢ଼ାଉଛନ୍ତି । ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିଲେ ସ୍ୱଳ୍ପ ରୋଜଗାରରେ ଲୋକଟିଏ କେମିତି ହୋମ ମ୍ୟାନେଜମେଣ୍ଟ କରିବ ବୋଲି ପ୍ରଶ୍ନ କରିଛି ବ୍ୟବସାୟୀ ସଂଘ । ସରକାରଙ୍କ କର୍ପୋରେଟ ପ୍ରୀତି ପାଇଁ ଲୋକଙ୍କ ସ୍ବାର୍ଥ ବଳି ପଡୁଛି । ତେଣୁ ସରକାର ଦର ନିୟନ୍ତ୍ରଣକୁ ନିଜ ହାତକୁ ନେଇ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଦାବି ରଖିଛି ସଂଘ ।ଦିଲ୍ଲୀରେ ହେବାକୁ ଥିବା ବ୍ୟବସାୟୀ ସଂଘର ଗଭର୍ଣ୍ଣିଂ କାଉନସିଲ ବୈଠକର ଜିରୋ ଆୱାରରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏସବୁ କଥା ଉଠିବ ବୋଲି କୁହାଯାଇଛି ।

ସେପଟେ ଦରଦାମ ବୃଦ୍ଧିକୁ ନେଇ ଲୋକେ ଲଗାତର ଅସନ୍ତୋଷ ଝାଡୁଥିଲେ ମଧ୍ୟ ଯେଉଁ ସରକାର ଏସବୁକୁ ଧ୍ୟାନ ଦେବା କଥା ସେମାନେ ହିଁ ପୁଣି ଦର ବଢାଉଥିବା କହିଛି ଓଡିଶା ସିଟିଜେନସ ଫୋରମ । ତେଣୁ ବର୍ତ୍ତମାନର ବିଜେପି ସରକାର ଉପରେ ଭରସା ତୁଟି ସାରିଥିବା ଫୋରମ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ଲୋକଙ୍କ ରୋଜଗାର କମିଥିବା ବେଳେ ଏଭଳି ଗୋଟିଏ ପରେ ଗୋଟିଏ ବୋଝ ସାଧାରଣ ଲୋକେ କିଭଳି ସହିବେ ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଏକ ବଡ଼ ଜନ ଆନ୍ଦୋଳନ ପାଇଁ ଏହା ବାଟ ଖୋଲୁଥିବା କୁହାଯାଇଛି । ସାଧାରଣ ଲୋକେ ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ।

ଆସନ୍ତା ୨୮ ଓ ୨୯ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବ୍ୟବସାୟୀଙ୍କ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏସବୁ ପ୍ରସଙ୍ଗରେ ସ୍ୱତନ୍ତ୍ର ଭାବେ ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବାକୁ ଓଡିଶା ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କର୍ପୋରେଟ ହାଉସ କରୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛି ସଂଘ । ଏପରିକି ଦରବୃଦ୍ଧିର କୌଣସି ଲାଭ ଚାଷୀ ପାଉ ନାହିଁ । ଏହା କର୍ପୋରେଟ ହାଉସ ଖାତାକୁ ଯାଉଛି ବୋଲି କୁହାଯାଇଛି ।